ପଦାର୍ପଣରେ ଇତିହାସ ରଚିଲେ ଶେଫାଳି

ବ୍ରିଷ୍ଟଲ: ପଦାର୍ପଣ ଟେଷ୍ଟରେ ହିଁ ଇତିହାସ ରଚିଛନ୍ତି ଭାରତୀୟ ମହିଳା ଦଳର ଯୁବ ଓପନର ଶେଫାଳି ବର୍ମା। ପ୍ରଥମ ଭାରତୀୟ ଓ ବିଶ୍ବର ୪ର୍ଥ ମହିଳା ଖେଳାଳି ଭାବେ ଡେବ୍ୟୁ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି ଏହି ୧୭ ବର୍ଷିୟ ଖେଳାଳି। ଶେଫାଳି ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଏହି ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ଶେଫାଳି ଇଂଲଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ୯୬ କରିଥିବା ବେଳେ ଦ୍ବିତୀୟ ଇନିଂସରେ ୫୫ ରନ୍ କରି ଅପରାଜିତ ରହିଛନ୍ତି।
୧୭ ବର୍ଷୀୟା ଶେଫାଳି ପ୍ରଥମ ଇନିଂସରେ ମାତ୍ର ଚାରି ରନ୍ ପାଇଁ ପଦାର୍ପଣ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା ହେବାରୁ ବଞ୍ଚିତ ହୋଇଥିଲେ। ଏହାବ୍ୟତୀତ ତାଙ୍କ ପାଖରେ ସବୁଠାରୁ କମ୍ ବୟସରେ ଟେଷ୍ଟ ଶତକ ମାରିବାର ଭଲ ସୁଯୋଗ ମଧ୍ୟ ଥିଲା। କିନ୍ତୁ ଶେଫାଳି ଏହା କରିବାରେ ବିଫଳ ହୋଇଛନ୍ତି। ଏବେ ଶେଫାଳିଙ୍କ ପାଖରେ ଦ୍ୱିତୀୟ ଇନିଂସରେ ଶତକ ମାରିବାର ସୁଯୋଗ ରହିଛି।
ଶେଫାଳିଙ୍କ ପୂର୍ବରୁ ଏହି ଉପଲବ୍ଧି ୧୯୮୬ ମସିହାରେ ଇଂଲଣ୍ଡର ଲେସଲୀ କୁକ୍, ୧୯୯୮ରେ ଶ୍ରୀଲଙ୍କାର ବନିସା ବୋବେନ୍ ବୋଓ୍ବନ୍ ଓ ୨୦୨୧ରେ ଅଷ୍ଟ୍ରେଲିଆର ଜେଫ୍ ଜନସନ୍ ଡେବ୍ୟୁ ମ୍ୟାଚର ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ।
ଭାରତୀୟ ମହିଳା ଟିମ୍ ବର୍ଷା ବାଧାପ୍ରାପ୍ତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୧ ୱିକେଟ୍ ହରାଇ ୮୩ ରନ୍ କରିଛି। ଶେଫାଳି ୫୫ ଓ ଦୀପ୍ତି ଶର୍ମା ୧୮ ରନରେ ବ୍ୟାଟିଂ କରୁଛନ୍ତି। ଭାରତୀୟ ମହିଳା ଟିମ୍ ଏବେବି ୮୨ ରନରେ ପଛୁଆ ଥିବା ବେଳେ ହାତରେ ୯ ୱିକେଟ୍ ବାକି ରହିଛି।