Odisha Link
Bridging the Missing Links in Odisha

ଆଶା ଦେଖାଇଲେ ଆଶା ଦିଦି, ୫୭ ବର୍ଷ ବୟସରେ କଲେ ମାଟ୍ରିକ ପାସ୍

ଭଦ୍ରକ: ଦୃଢ ଇଚ୍ଛା ଶକ୍ତି, ଉଦ୍ୟମ ଓ ସାହସ ଥିଲେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ। ଏହା ନିଃସନ୍ଦେହ। ଯାହାକୁ ପ୍ରମାଣିତ କରିଛନ୍ତି ଭଦ୍ରକ ଜିଲ୍ଲା କଣ୍ଟି ଗାଁର ୫୭ ବର୍ଷିୟ ସ୍ବର୍ଣ୍ଣଲତା ପତି। ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଜଣେ ଆଶା ଦିଦି। ଲୋକଙ୍କ ସେବା କରିବା ସହ ନିଜ କର୍ମମୟ ଜୀବନରେ ହାର ମାନିନାହାନ୍ତି ୫୭ ବର୍ଷୀୟ ମହିଳା।

ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମର ସ୍ୱର୍ଣ୍ଣଲତା ପତି। ଦୀର୍ଘବର୍ଷ ହେବ ପିଲା ଛୁଆଙ୍କୁ ନେଇ ସଂସାର ଚଳାଉଛନ୍ତି। ପରିବାର ଆର୍ଥିକ ଅବସ୍ଥା ଯୋଗୁଁ ସେ ସପ୍ତମ ପାସ କରିଥିବା ଗାଁ ସ୍କୁଲରେ ପାଚିକା ଭାବେ କାର୍ଯ୍ୟ ଆରମ୍ଭ କଲେ। ମାସିକ ୧୦୦ ଟଙ୍କା ଦରମାରେ ଗାଁ ସ୍କୁଲରେ ପାଚିକ ଭାବେ ନିଯୁକ୍ତି ପାଇଥିଲେ। ଆଉ ଏହାରି ଭିତରେ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ଅଞ୍ଚଳର ଅନେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ। ଜଣେ ଭଲ ପାଚିକା ଓ ଆଶା ଦିଦି ଭାବେ ସମଗ୍ର ଅଞ୍ଚଳରେ ବେଶ ପ୍ରସିଦ୍ଧ ଲାଭ କରିଥିଲେ।

ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁସାରେ ମାଟ୍ରିକ ପାସ କଲେ ତାଙ୍କୁ ଚାକିରିର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା। ଏହାକୁ ଆଧାର କରି ସ୍ୱର୍ଣ୍ଣଲତା ୨୦୧୯ ଡିସେମ୍ବରରେ ଓଡିଶା ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ଏହା ପରେ କରୋନା କଟକଣା ଯୋଗୁଁ ୨୦୨୦ରେ ହୋଇପାରି ନଥିଲା ମାଟ୍ରିକ ପରୀକ୍ଷା । ପରେ ସେପ୍ଟେମ୍ବର ମାସରେ ଓଡିଶା ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ପାଇଁ ସ୍ଥିର କରାଯାଇଥିଲା ଓ ସେ ଭଦ୍ରକ ସ୍ଥିତ ବାଗୁରାଇ ସ୍କୁଲରେ ପରୀକ୍ଷା ଦେଇଥିଲେ। ହେଲେ ରେଜଲ୍ଟ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇନଥିଲେ । ସମସ୍ତ ବିଷୟରେ ପାସ କରିଥିବା ବେଳେ ଇଂରାଜୀରେ ଖରାପ ହୋଇଥିଲା। ଚଳିତ ଥର ପୁଣି ଥରେ ସେ ଗୋଟିଏ ବିଷୟ ପାଇଁ ଫର୍ମ ଫିଲପ କରିଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି।

ସ୍ବର୍ଣ୍ଣଲତାଙ୍କ ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି। ଯେତେବେଳେ ଲୋକେ କହନ୍ତି ଯେ ବୟସ ଅଧିକ ହେଲେ କାର୍ଯ୍ୟ କଷ୍ଟସାଧ୍ୟ ହୁଏ । ସେହି ମାନଙ୍କ ପାଇଁ ସ୍ଵର୍ଣଲତା ହେଉଛନ୍ତି ଉଦାହରଣ ଓ ୫୭ ବର୍ଷରେ ମାଟ୍ରିକ ପାସ୍‌ କରି ଏହା ପ୍ରମାଣିତ କରିଛନ୍ତି ଯେ ବୟସ କେବଳ ମାତ୍ର ଏକ ସଂଖ୍ୟା।

Leave A Reply

Your email address will not be published.