Odisha Link
Bridging the Missing Links in Odisha

ଦେଶରେ ବଢ଼ୁଛି ବ୍ଲାକ ଫଙ୍ଗସ୍ ସଂକ୍ରମଣ, ୩୧୨୯ ଜଣ ମୃତ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ବ୍ଲାକ ଫଙ୍ଗସ୍‌ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସୂଚନା ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଦେଶରେ ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ୪୦,୮୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ୩,୧୨୯ ଜଣଙ୍କର ଜୀବନ ଯାଇଛି।

କୋଭିଡ-୧୯ କୁ ନେଇ ମନ୍ତ୍ରୀ ସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବ୍ଲାକ ଫଙ୍ଗସ୍ ସଂକ୍ରମଣ ହୋଇଥିବା ଲୋକଙ୍କ ମଧ୍ୟରୁ କିଛି ଲୋକ କରୋନା ସଂକ୍ରମଣ ପରେ ବ୍ଲାକ ଫଙ୍ଗସ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ କିଛି ଲୋକ ମଧୁମେହ କାରଣରୁ ଓ ଆଉ କିଛି ଲୋକ ମାତ୍ରାଧିକ ଶକ୍ତି ବର୍ଦ୍ଧକ ଔଷଧ ସେବନ କାରଣରୁ ବ୍ଲାକ ଫଙ୍ଗସ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

ଏହାସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ମୋଟ ବ୍ଲାକ ଫଙ୍ଗସ ସଂକ୍ରମିତଙ୍କ ମଧ୍ୟରୁ ୧୩,୦୮୩ ଜଣ ୧୮-୪୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ୧୭,୪୬୪ ଜଣ ୪୫-୬୦ ବର୍ଷ ବୟସ୍କ ରହିଛନ୍ତି। ଏହାସହ ୧୦,୦୮୨ ଜଣ ବ୍ୟକ୍ତି ୬୦ ବର୍ଷରୁ ଅଧିକ।

ବୈଠକରେ ଟିକାକରଣକୁ ନେଇ ଆଲୋଚନା ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କି, ଭାରତ ଏବେ ଟିକାକରଣରେ ଆମେରିକା ଠାରୁ ଆଗରେ ପହଂଚିଛି। ଆମେରିକା ୨୦୨୦ ଡିସେମ୍ବର ମାସଠାରୁ ଟିକାକରଣ ଆରମ୍ଭ କରିଥିବା ବେଳେ ଭାରତ ୨୦୨୧ ଜାନୁଆରୀ ୧୬ ତାରିଖ ଠାରୁ ଟିକାକରଣ ଆରମ୍ଭ କରିଥିଲା। ଏହି କ୍ରମରେ ଭାରତରେ ମୋଟ ୩୨,୩୬,୬୩,୨୯୭ ଜଣ ବିଭିନ୍ନ ଆୟୁବର୍ଗର ଲୋକଙ୍କୁ ଟିକା ଦିଆଯାଇଛି। ଏହାସହ କେନ୍ଦ୍ର ସରକାର ଟିକା ନିର୍ମାତା କମ୍ପାନୀ ମାନଙ୍କ ଠାରୁ କିଣୁଥିବା ଟିକାର ୭୫ ପ୍ରତିଶତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ମାଗଣାରେ ଦେଉଛନ୍ତି।

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ଆଜକୁ ୪୬ ଦିନ ହେବ ଦୈନିକ ସଂକ୍ରମିତ ସଂଖ୍ୟା ଠାରୁ ଦୈନିକ ସୁସ୍ଥକଙ୍କ ହାର ଅଧିକ ରହୁଛି। ଏହାସହ ଦେଶରେ କରୋନା ସଂକ୍ରମିତ ଜନିତ ମୃତ୍ୟୁହାର ୧.୩୦ ପ୍ରତିଶତ ରହିଛି।

Leave A Reply

Your email address will not be published.