Odisha Link
Bridging the Missing Links in Odisha

ଆଗାମୀ ଦିନରେ ଚିନ୍ତା ବଢ଼ାଇବ ଡେଲ୍ଟା ଭାରିଏଣ୍ଟ: WHO

ସୁଇଜରଲ୍ୟାଣ୍ଡ: ଭାରତରେ ଠାବ ହୋଇଥିବା କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ସାଂଘାତିକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ବର୍ତ୍ତମାନ ସୁଦ୍ଧା ଏହି ପ୍ରାଣଘାତୀ ଭାରିଏଣ୍ଟ ପାଖାପାଖି ୧୦୦ଟି ଦେଶରେ ଠାବ ହୋଇଥିବା ବେଳେ ସଂକ୍ରମଣମାତ୍ରା ହୁହୁ ହୋଇ ବଢ଼ିବାରେ ଲାଗିଛି।ତେଣୁ ଆଗାମୀ ଦିନରେ ଏହା ସାରା ବିଶ୍ୱରେ ଏକ ପ୍ରଭାବଶାଳୀ ଭାରିଏଣ୍ଟ ଭାବେ ଉଭା ହେବାର ଆଶଙ୍କା ଥିବା ହୁ’ ପକ୍ଷରୁ କୁହାଯାଇଛି।

ଏହି ଭାରିଏଣ୍ଟ ଜଣଙ୍କ ଠାରୁ ଆଉ ଜଣଙ୍କ ପାଖକୁ ଦ୍ରୁତଗତିରେ ସଂକ୍ରମିତ ହୋଇଥାଏ। ଏଥିସହ ଏହି ଭାରିଏଣ୍ଟରେ ଆକ୍ରାନ୍ତ ହେଲେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେବାକୁ ପଡ଼ୁଛି। ଭାରତରେ କରୋନାର ଦ୍ୱିତୀୟ ଲହର ପାଇଁ ଏହି ଭାରିଏଣ୍ଟ ଦାୟୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସାପ୍ତାହିକ କରୋନା ସଂକ୍ରମଣ ସମ୍ପର୍କରେ ସୂଚନା ଦେଇ ହୁ ପକ୍ଷରୁ କୁହାଯାଇଛି ଯେ ଜୁନ୍‌ ୨୯ ସୁଦ୍ଧା ବିଶ୍ୱର ୯୬ଟି ଦେଶରେ କରୋନାର ଡେଲ୍ଟା ଭାରିଏଣ୍ଟ ଠାବ ହୋଇଛି। ଯେଉଁ ସବୁ ଦେଶରେ ଏହା ଚିହ୍ନଟ ହୋଇଛି ସେଠାରେ ପୂର୍ବାପେକ୍ଷା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି ଓ ଅଧିକରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି।

କରୋନାର ସମସ୍ତ ଭାରିଏଣ୍ଟକୁ ଡେଲ୍ଟା ପଛରେ ପକାଇ ଦେବାର ଆଶଙ୍କା ରହିଛି। ସେହିପରି ଆଗାମୀ ମାସଗୁଡ଼ିକରେ ଏହା ସବୁଠାରୁ ପ୍ରଭାବଶାଳୀ ଭାରିଏଣ୍ଟ ଭାବେ ସାରା ବିଶ୍ୱରେ ନିଜର ଦବଦବା ଦେଖାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ରୋକିବାକୁ ହେଲେ ମହାମାରୀ ଆରମ୍ଭରୁ ଯେଉଁଭଳି ପଦକ୍ଷେପ ନିଆଯାଉଛି, ତା’କୁ ଆଗକୁ ମଧ୍ୟ ଜାରି ରଖିବାକୁ ପଡ଼ିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ସୂଚନା ଅନୁସାରେ, ଆଲଫା ଭାରିଏଣ୍ଟ ୧୭୨ଟି ରାଷ୍ଟ୍ରରେ ଠାବ ହୋଇଥିବା ବେଳେ ବିଟା ୧୨୦ଟି ଦେଶରେ, ଗାମା ୭୨ଟି ଦେଶରେ ଓ ଡେଲ୍ଟା ଭାରିଏଣ୍ଟ ୯୬ଟି ଦେଶରେ ଠାବ ହୋଇଛି।

Leave A Reply

Your email address will not be published.