Odisha Link
Bridging the Missing Links in Odisha

ଆଇବିଡିପି ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର: ଇଣ୍ଟରନ୍ୟାସ୍‍ନାଲ୍‍ ବାକାଲରେଟ୍‍ ଡିପ୍ଲୋମା ପ୍ରୋଗ୍ରାମ୍‍ (ଆଇବିଡିପି) ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ମଙ୍ଗଳବାର ପ୍ରକାଶିତ ପରୀକ୍ଷା ଫଳ ଅନୁସାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୨୫ ପ୍ରତିଶତ ଛାତ୍ରଛାତ୍ରୀ ୪୦ ପଏଣ୍ଟରୁ ଊର୍ଦ୍ଧ୍ୱ ସ୍କୋର କରିଥିବା ବେଳେ ସ୍କୁଲ୍‍ର ହାରାହାରି ସଫଳତା ୩୬ ପଏଣ୍ଟ ରହିଛି।

ସ୍କୁଲ୍‍ର ସାତ୍ତ୍ୱିକ ପାଣିଗ୍ରାହୀ ମୋଟ ୪୫ ପଏଣ୍ଟରୁ ସର୍ବାଧିକ ୪୩ ପଏଣ୍ଟ ସହ ସମସ୍ତ ୬ଟି ଯାକ ବିଷୟରେ ସର୍ବାଧିକ ୭ ପଏଣ୍ଟ ହାସଲ୍‍ କରି ସ୍କୁଲ୍‍ ଟପ୍‍ପର ଓ ବର୍ଷର ଭାଲେଡିକ୍ଟୋରିଆନ୍‍ ହେବା ସହ ଆମେରିକାର ନିଉୟର୍କ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସମୀକ୍ଷା ସାମନ୍ତରାୟ ୪୨ ପଏଣ୍ଟ ହାସଲ କରି ସାଲ୍ୟୁଟାଟୋରିଆନ୍‍ ହେବା ସହ ସିଙ୍ଗାପୁରସ୍ଥିତ ନନ୍ୟାଙ୍ଗ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ସେହିପରି ଭାସ୍ୱତୀ ବାସୁମାତାରି ୪୧ ପଏଣ୍ଟ ସହ ଇଂଲଣ୍ଡର କେମ୍ବ୍ରିଜ୍‍ ଅଧୀନସ୍ଥ ଟ୍ରିନିଟି କଲେଜ ଓ ଜୟଦୀପ ଦାଶ ୪୦ ପଏଣ୍ଟ ସହ ଲଣ୍ଡନର ଇମ୍ପେରିଆଲ୍‍ କଲେଜରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟାଂଶ ବଳ ଓ ସ୍ୱାଧୀନ ରାଉତ କାନାଡ଼ାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ, ଊନିକା ଦାଶ ଇଂଲଣ୍ଡର ୟୁନିଭରସିଟି ଅଫ୍‍ ସେଫିଲ୍‍ଡରେ ଉଚ୍ଚଶିକ୍ଷା ପାଇବା ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ବି. ଅଙ୍କିତ ପାତ୍ର ଆମେରିକାର ପରଡିଉ ବିଶ୍ୱବିଦ୍ୟାଳୟ ଓ ଅଙ୍କିତା ନାୟକ ଇଂଲଣ୍ଡର ୱାରିକ୍‍ ଓ କିଙ୍ଗସ କଲେଜରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସୂଚନାଯୋଗ୍ୟ ଓଡ଼ିଶାର ଏକମାତ୍ର ସ୍କୁଲ୍‍ ଭାବେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଆଇବିଡିପି ପାଠ୍ୟକ୍ରମ ପ୍ରଦାନ କରିଆସୁଛି। ଏହା ଦ୍ୱାରା ଏହି ଡିପ୍ଲୋମା ପ୍ରୋଗ୍ରାମ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବାରେ ସହାୟକ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଲଗାତାର ୭ ପଏଣ୍ଟ ଲେଖାଏଁ ସ୍କୋର କରି ସ୍କୁଲ୍‍ର ଗୁଣାତ୍ମକ ଶିକ୍ଷା ପ୍ରତିପାଦିତ କରିପାରିଛନ୍ତି।

ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ମହାମାରୀ ସତ୍ତ୍ୱେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଆଇବିଡିପି ଛାତ୍ରଛାତ୍ରୀମାନେ ପୂର୍ବ ଧାରା ବଜାୟ ରଖି ବ୍ୟାପକ ସଫଳତା ହାସଲ କରିପାରିଛନ୍ତି। ଶ୍ରୀ ସାମନ୍ତ ଏଥିପାଇଁ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଓ ଇଣ୍ଟରନ୍ୟାସ୍‍ନାଲ୍‍ କରିକୁଲମ୍‍ ମୁଖ୍ୟ ନନ୍ଦିତା ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.