Odisha Link
Bridging the Missing Links in Odisha

ଝଟକିବ ଶ୍ରୀମନ୍ଦିର ଦ୍ବାର, ପହଁଞ୍ଚିଲା ରୁପା ଚାଦର

ପୁରୀ: ରୁପାରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ବାର। ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଶ୍ରୀମନ୍ଦିର ରୁପା ଦ୍ୱାର ପରିକଳ୍ପନାର ୮ଟି ଦ୍ୱାର ମଧ୍ୟରୁ ୪ ଦ୍ୱାରର କାଠ ଫ୍ରେମ ନିର୍ମାଣ ଶେଷ ହୋଇଛି । ଶ୍ରୀମନ୍ଦିର ବେହରଣ ଦ୍ୱାର, କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର ଓ ଭୋଗମଣ୍ଡପ ଦ୍ୱାରର କାଠ କବାଟ ନିର୍ମାଣ ଶେଷ ହୋଇଛି। ଏହି କବାଟରେ ଲାଗିବାକୁ ଥିବା କାରୁକାର୍ଯ୍ୟ ଭରା ରୁପା ଚାଦର ଶୁକ୍ରବାର ସନ୍ଧ୍ୟାରେ ପୁରୀ ପହଞ୍ଚିଛି । ପୁଲିସ ସୁରକ୍ଷାରେ ଆସିଥିବା ଏକ ମିନି ଟ୍ରକରେ ୧୭ଟି ପ୍ୟାକେଟର ରୁପା ଚାଦର ଆସିଛି । ଏହାର ଓଜନ ୧.୩ ଟନ୍‌ । ମୁମ୍ବାଇର ଜଣେ ଦାତା ଏହି କାରୁକାର୍ଯ୍ୟ ପୂର୍ଣ୍ଣ ରୁପା ଚାଦରକୁ ପଠାଇଛନ୍ତି । ଆହୁରି ୪ଟି ଦ୍ୱାର ପାଇଁ ରୁପା ଚାଦର ଶିଘ୍ର ପହଞ୍ଚିବ ବୋଲି ସୂଚନା ମିଳିଛି ।

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ଯେ, ୧୭ଟି ପ୍ୟାକେଟରେ ରୁପା ଚାଦର ପହଞ୍ଚିଛି । ପ୍ରଥମ ଦଫାରେ ଚାରି ମୁଖ୍ୟ ଦ୍ୱାରରେ ଏହି ଚାଦର ଆବରଣ ଲାଗିବ । ଏହି ରୁପା ଚାଦରକୁ ନୀଳାଦ୍ରି ଭକ୍ତ ନିବାସରେ ନିର୍ମିତ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଛି । ଷ୍ଟ୍ରଙ୍ଗ ରୁମକୁ ୨୪ ଘଣ୍ଟିଆ ପୁଲିସ ସୁରକ୍ଷାରେ ରଖାଯାଇଛି । ଗାର୍ଡ ରୁମରେ ସୁରକ୍ଷା ବଳ ରହୁଛନ୍ତି ।

ଷ୍ଟ୍ରଙ୍ଗ୍‌ ରୁମ୍‌ ଉପରେ ନଜର ରଖିବାକୁ ସିସିଟିଭି ସ୍ଥାପନ କରଯାଇଛି । ରୁପା ସ୍ଥାପନ କରିବାକୁ କାରିଗରମାନେ ପହଞ୍ଚି ସାରିଛନ୍ତି । ରଥଯାତ୍ରା ବେଳେ ବର୍ମା ଟିକ୍‌ରେ ନିର୍ମିତ କାଠ କବାଟ ଉପରେ ରୁପା ଚାଦର ଲାଗିବ। ଶ୍ରୀମନ୍ଦିର ଦ୍ୱାରଗୁଡିକରେ ଲାଗି ହେଉଥିବା ରୁପା ଚାଦରଗୁଡିକରେ ଆକର୍ଷଣୀୟ କାରୁକାର୍ଯ୍ୟ ହୋଇଛି । ରଥଯାତ୍ରା ବେଳେ ଏହି ଦ୍ୱାର ସ୍ଥାପନ ଓ ରୁପା ଛାଉଣି କାର୍ଯ୍ୟ ଶେଷ କରିବାକୁ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି।। ଅନ୍ୟ ଚାରି ଦ୍ୱାରର କାଠ ଫ୍ରେମ ନିର୍ମାଣ ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.