Odisha Link
Bridging the Missing Links in Odisha

ବିଜେହେବେ ମହାବାହୁ, ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିବ ତିନିରଥ

ପୁରୀ: ଆଜି ସୋମବାର ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ଅନୁଷ୍ଠିତ ହେଉଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କ ସହ ନବଦିନ ବ୍ୟାପି ଘୋଷଯାତ୍ରା କରିବେ କାଳିଆ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ଅଭିମୁଖେ ବିଜେ କରିବେ ମହାପ୍ରଭୁ।

ରବିବାର ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ବିଜେ ପରେ ରଥଖଳାରୁ ତିନିରଥ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯାଇଛି। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଖଣ୍ଡୁଆ ଏବଂ ବାହୁଟକଣ୍ଟ ନୀତି ସମେତ ସେନାପଟା ଲାଗି କରାଯାଇଛି। ଆକର୍ଷଣୀୟ ଫୁଲ ଏବଂ ସୋଲରେ ଝଲମଲ କରୁଛି ତିନିରଥ। ରଥରେ ଚାରମାଳ ବନ୍ଧାଯାଇଛି। ସୋମବାର ସକାଳ ଧୂପରେ ଖେଚୁଡ଼ି ଖାଇ ରଥଯାତ୍ରାକୁ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି।

ଶ୍ରୀଜିଉଙ୍କ ନୀତିକାନ୍ତି: 

ସକାଳ ୮ଟାରେ ରଥ ପ୍ରତିଷ୍ଠା କରାଯିବ। ମଙ୍ଗଳାର୍ପଣ ପରେ ୮ଟା ୩୦ରେ ଆରମ୍ଭ ହେବ ପରଂବ୍ରହ୍ମଙ୍କ ପହଣ୍ଡି ଯାତ୍ରା। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ଘଣ୍ଟ, ଘଣ୍ଟା, ବିଜେ କାହାଳୀ ଏବଂ ମୃଦଙ୍ଗ ବାଦ୍ୟ ସହ ତାଳରେ ତାଳ ମିଳାଇ ସେବକଙ୍କ ଗହଣରେ ଝୁଲି ଝୁଲି ରଥ ଉପରକୁ ବିଜେ କରିବେ ମହାପ୍ରଭୁ। ଦିନ ୧୧ଟା ୩୦ ସୁଦ୍ଧା ଶେଷ‌େ‌ହବ ପହଣ୍ଡି।

ଏହାପରେ ରଥ ଉପରକୁ ବିଜେ କରିବେ ମଦନମୋହନ। ଦିନ ୧୨ଟା ୩୦ରେ ଚିତାଲାଗି କରାଯିବା ସହ ପ୍ରଭୁଙ୍କୁ ବେଶ କରାଯିବ। ଦିନ ୧୨ଟା ୪୫ରୁ ୨ଟା ମଧ୍ୟରେ ରଥ ଉପରେ ଛେରାପହଁରା କରିବେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ। ରଥରୁ ଚାରମାଳ ଫିଟାଯିବା ସହ ଘୋଡ଼ା ଏବଂ ସାରଥି ଲଗାଯିବ। ଅପରାହ୍ଣ ୩ଟାରେ ଆରମ୍ଭ ହେବ ରଥଟଣା। ଚଳିତବର୍ଷ କେବଳ ଶ୍ରୀମନ୍ଦିର ସେବାୟତ ରଥ ଟାଣିବେ। ସନ୍ଧ୍ୟା ସୁଦ୍ଧା ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିବା ସମ୍ଭାବନା ରହିଛି।

Leave A Reply

Your email address will not be published.