ପାକିସ୍ତାନୀଙ୍କ ପ୍ରିୟ ଦୂରଦର୍ଶନ

ନୂଆଦିଲ୍ଲୀ: ଭାରତୀୟ ସରକାରୀ ଚ୍ୟାନେଲ ଦୂରଦର୍ଶନ ପ୍ରେମରେ ପାକିସ୍ତାନୀ। ଏକଥା ଆପଣଙ୍କୁ ଅଜବ ଲାଗୁଥଲେ ମଧ୍ୟ ଏକଦମ୍ ସତ। ଭାରତୀୟଙ୍କ ପରେ ଦୂରଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍ ଚ୍ୟାନେଲକୁ ସବୁଠୁ ଅଧିକ ପାକିସ୍ତାନବାସୀ ଦେଖୁଛନ୍ତି। ଅର୍ଥାତ୍ ଭାରତୀୟଙ୍କ ପରେ ପାକିସ୍ତାନୀଙ୍କ ବେଶି ପ୍ରିୟ ଦୂରଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓ। ଏନେଇ ସୂଚନା ଦେଇଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।
ମୌସୁମୀ ଅଧିବେଶନରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରକହିଛନ୍ତି ଯେ, ୨୦୨୧ରେ ୟୁଟ୍ୟୁବରେ ପ୍ରସାର ଭାରତୀ ଚ୍ୟାନେଲକୁ ପାକିସ୍ତାନରେ ୬୯ ଲକ୍ଷ ୬୮ ହଜାର ୪୦୮ ଦର୍ଶକ ଦେଖିଛନ୍ତି। ଯାହାକି ଅନ୍ୟ ଦେଶ ତୁଳନାରେ ପାକିସ୍ତାନର ଦର୍ଶକଙ୍କ ସଂଖ୍ୟା ଅଧିକ ରହିଛି। ସେହିପରି ୟୁଏସ୍ରେ ପ୍ରସାର ଭାରତୀର ୟୁଟ୍ୟୁବ୍ ଚ୍ୟାନେଲକୁ ୫୬ ଲକ୍ଷ ୪୭ ହଜାର ୫୬୫, ବାଙ୍ଗଲାଦେଶରେ ୫୧ ଲକ୍ଷ ୮୨ ହଜାର ୧୦ ଜଣ ଦର୍ଶକ ଦେଖିଥିବା ବେଳେ ନେପାଳରେ ୩୧ ଲକ୍ଷ ୬୮ ହଜାର ୮୧୦ ଜଣ ଏବଂ ୟୁଏଇରେ ୨୭ ଲକ୍ଷ ୨୧ ହଜାର ୯୮୮ ଜଣ ଦର୍ଶକ ଦେଖିଛନ୍ତି।
ଅନୁରାଗ ଆହୁରି କହିଛନ୍ତି ଯେ, ୨୦୨୦ରେ ପାକିସ୍ତାନରେ ପ୍ରସାର ଭାରତୀ ୟୁଟ୍ୟୁବ୍ ଚ୍ୟାନେଲକୁ ୧ କୋଟି ୩୩ ଲକ୍ଷ ୫୦୪ ଭ୍ୟୁଜ୍ ମିଳିଥିଲା। ସେହିପରି ୟୁଏସ୍ରେ ୧ କୋଟି ୨୮ ଲକ୍ଷ ୬୩ ହଜାର ୬୭୪, ୟୁଏଇରେ ୮୨ ଲକ୍ଷ ୭୨ ହଜାର ୫୦୬, ବାଙ୍ଗଲାଦେଶରେ ୮୧ ଲକ୍ଷ ୩୬ ହଜାର ୬୮୪, ଓ ସାଉଦୀ ଆରବରେ ୬୫ ଲକ୍ଷ ୨୯ ହଜାର ୬୮୧ ଭ୍ୟୁଜ୍ ମିଳିଥିଲା।
ସୂଚନାଯୋଗ୍ୟ, ପ୍ରସାର ଭାରତୀର ୧୭୦ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲ ରହିଛି। ପ୍ରସାର ଭାରତୀର ଡିଜିଟାଲ ଚ୍ୟାନେଲ ଅନ୍ୟ ଦେଶରେ ଖୁବ୍ ଲୋକପ୍ରିୟ। ଏହାକୁ ଆହୁରି ଲୋକପ୍ରିୟ କରିବା ପାଇଁ ସରକାର ଉଚିତ୍ ପଦକ୍ଷେପ ଉଠାଉଛନ୍ତି।