Odisha Link
Bridging the Missing Links in Odisha

ଏଇ ମେସିନ୍ ଫାସିଷ୍ଟ୍‌ମାନଙ୍କୁ ହତ୍ୟାକରେ

ମିୟୋଗ ପାତ୍ର

ଉଡି ଗଥ୍ରି ବା ଉଡ୍ରୋ ୱିଲ୍ସନ୍ ଗଥ୍ରି ଆମେରିକାର ଜଣେ ପ୍ରସିଦ୍ଧ ଲୋକ ଗୀତ ଲେଖକ ଓ ଗାୟକ। ନୋବେଲ ପୁରସ୍କାର ବିଜେତା ବବ୍ ଡିଲନ୍ ହୁଅନ୍ତୁ କି ଲୋକ ଗୀତର ଭେଟେରାନ ଜନି କ୍ୟାଶ୍ ହୁଅନ୍ତୁ, ସେଇ ସମୟର ପ୍ରାୟ ପ୍ରାୟ ସମସ୍ତ ପ୍ରମୁଖ ଲୋକ ଗୀତିକାର ସ୍ୱୀକାର କରନ୍ତି ଯେ ସେମାନେ ଗଥ୍ରିଙ୍କଠୁ ପ୍ରେରଣା ପାଇଛନ୍ତି। ତାଙ୍କ ଗୀତ ସବୁ ଆମେରିକାରେ ଲୋକ ଗୀତ ଆନ୍ଦୋଳନରେ ବ୍ୟବହାର କରାଯାଉଥିଲା। ଏବେ ମଧ୍ୟ ପୃଥିବୀରେ ଅନେକ ସ୍ଥାନରେ ତାଙ୍କ ଗୀତକୁ ବିରୋଧ ପ୍ରଦର୍ଶନରେ ଲୋକେ ଗାଇଥାନ୍ତି। ଗଥ୍ରି ତାଙ୍କ ସମୟରେ ବିଶ୍ୱସାରା ଯୁଦ୍ଧ ବିରୋଧୀ ଆନ୍ଦୋଳନର ଏକ ପ୍ରମୁଖ ଚେହେରା ଥିଲେ। ସେ ନାଜୀ ମାନଙ୍କ ପ୍ରବଳ ବିରୋଧୀ ଥିଲେ। ତା ଛଡ଼ା ପୃଥିବୀର ଯେ କୌଣସି ସ୍ଥାନରେ ଏକଛାତ୍ରାବାଦ ଥିଲା, ଫାସୀବାଦ ଥିଲା ଗଥ୍ରି ଖୋଲାଖୋଲି ଭାବେ ବିରୋଧ କରିଥିଲେ। ସେ ଆମେରିକାରେ ଏତେ ବଡ଼ ଚେହେରା ଥିଲେ ଯେ ତାଙ୍କୁ ଦେଖି ଅନେକ ଯୁବକ ଯୁବତୀ ଆଗେଇ ଆସିଥିଲେ ଏକଛତ୍ରବାଦ ଓ ଫାସିବାଦ ବିରୋଧରେ।

“ଏଇ ମେସିନ ଫାସିଷ୍ଟ ମାନଙ୍କୁ ହତ୍ୟାକରେ” ବୋଲି ଏକ ନାରା ଦେଉଥିଲେ ଗଥ୍ରି। ଏଇ ସ୍ଲୋଗାନ ତାଙ୍କ ଗିଟାର ଉପରେ ଲେଖା ହେଉଥିଲା। କାଳ କ୍ରମେ ଏଇ ସ୍ଲୋଗାନ ଆମେରିକା ତଥା ବିଶ୍ୱରେ ଏକ “କଲ୍ଟ୍” ରେ ପରିଣତ ହେଲା । ଗଥ୍ରିଙ୍କ ପରେ ପରେ ସଙ୍ଗୀତ ମାଧ୍ୟମରେ ବିରୋଧ ପ୍ରଦର୍ଶନ ଧୀରେ ଧୀରେ ବିଶ୍ୱରେ ଏକ ବିଶେଷ ସ୍ଥାନ ଗ୍ରହଣ କଲା। ଆଜିମଧ୍ୟ ଏଇ ପରମ୍ପରା ବିଶ୍ୱରେ ବଂଚିତ। ମଇକେଲ ଜ୍ୟାକସନ୍, ପିଙ୍କ ଫ୍ଲଏଡ ବ୍ୟାଣ୍ଡ ପ୍ରଭୃତି ବିରୋଧ ପ୍ରଦର୍ଶନରେ ନିଜ ଗୀତ ସବୁକୁ ବ୍ୟବହାର କରନ୍ତି। ଗଥ୍ରିଙ୍କୁ ଏଇ ପରମ୍ପରାର ଜନକ କହିଲେ କିଛି ଭୁଲ ହେବନାହିଁ।

ଗଥ୍ରିଙ୍କ ବ୍ୟକ୍ତିତ୍ୱ ଏମିତି ଥିଲା ଯେ ନିଜ ଦେଶର ଶାସକ ମାନଙ୍କୁ ମଧ୍ୟ ବିରୋଧ କରୁଥିଲେ। ଆମେରିକାର ଶାସନ ବ୍ୟବସ୍ଥାକୁ ସେ ଅର୍ଥନୈତିକ ଲୁଟ ବୋଲି ଦର୍ଶେଇ କ୍ରୀତଦାସ ପ୍ରଥା ସଙ୍ଗେ ସମାନ ବୋଲି କହିଥିଲେ। ବିଶ୍ୱ ଯୁଦ୍ଧ ସମୟରେ  “ଗଡ ବ୍ଲେସ ଆମେରିକା” ପରି ରାଷ୍ଟ୍ରବାଦୀ ଗୀତ ସବୁ ଆମେରିକାରେ ଲେଖା ଯାଇଥିଲା। ଏଥିରେ ପ୍ରେରିତ ହୋଇ ଅନେକ ଯୁବକ ଯୁଦ୍ଧରେ ଝାସ ଦେଇଥିଲେ। ଆମେରିକାର ଯୁଦ୍ଧନୀତିକୁ ଏହା ସୁହାଇଲା ପରି କାମ କଲା। ବାରମ୍ବାର ରେଡ଼ିଓରେ ଏଇ ଗୀତ ବାଜୁଥିବା ଶୁଣି ଏହାକୁ ସମାଲୋଚନା କରି ଗଥ୍ରି ଏକ ଗୀତ ରଚନା କରିଥିଲେ ଯାହାକି ଆମେରିକାର ଇତିହାସରେ ଚିର କାଳ ପାଇଁ ଅମର ହେଇ ରହିଗଲା। ଗୀତଟି ଥିଲା-

“ଏଇ ମାଟି ତୁମରି ମାଟି”
ଦିସ ଲ୍ୟାଣ୍ଡ ଇଜ ୟୋର ଲ୍ୟାଣ୍ଡ

ଏଇ ମାଟି ତୁମରି ମାଟି
ଏଇ ମାଟି ମୋରି ମାଟି
କ୍ୟାଲିଫର୍ନିଆରୁ ନ୍ୟୁୟର୍କ ଯାଏଁ
ଲୋହିତ ଜଙ୍ଗଲ ଠାରୁ ଗଲ୍ଫ ଯାଏଁ
ତିଆରି ହେଇଛି ଏଇ ମାଟି
ତୁମ ପାଇଁ , ମୋ ପାଇଁ ।

ରିବନ ପରି ଦିଶୁଥିବା ରାସ୍ତାରେ ମୁଁ ଯେବେ ଚାଲିଲି
ମତେ ଦିଶିଲା ଅନନ୍ତ ଆକାଶର ରାସ୍ତା
ମୋ ତଳେ ଥିଲା ସୁବର୍ଣ୍ଣ ଉପତ୍ୟକା

ମୁଁ ଖୁସିରେ ବୁଲିଲି
ନିଜ ପଦଚିହ୍ନକୁ ଅନୁସରଣ କରି
ପହଂଚିଲି ଯାଇ ମରୁଭୂମିର
ଚକ୍ ଚକ୍ କରୁଥିବା ହୀରା ପରି ବାଲି ଉପରେ
ତଥାପି ମତେ ସେଇ ପ୍ରତିଧ୍ବନି ଶୁଭୁଥିଲା
ଏଇ ମାଟି ତିଆରି କରାହେଲା ତୁମ ପାଇଁ,
ମୋ ପାଇଁ।

ଯେତେବେଳେ ସୂର୍ଯ୍ୟ ଚମକୁ ଥିଲା
ଟହଲି ଆସୁଥିଲି ମୁଁ
ଶସ୍ୟ ସବୁ ଦୋହଲୁ ଥିଲା
ଧୂଳିର ମେଘ ଗଡୁଥିଲା
କୁହୁଡ଼ିର ପରଦା ହଟି ସେଇ ପ୍ରତିଧ୍ୱନି ଶୁଣାଗଲା
ଏଇ ମାଟି ତିଆରି କରାହେଲା ତୁମ ପାଇଁ,
ମୋ ପାଇଁ।


ଲେଖକ ମିୟୋଗ ପାତ୍ର ଜଣେ ଜଣାଶୁଣା ଯୁବକବି ଓ ପ୍ରାବନ୍ଧିକ। ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ରହୁଥିବା ଏହି କବିଙ୍କୁ ୭୯୭୮୬୩୭୯୯୬ ନମ୍ବରରେ ଯୋଗାଯୋଗ କରିହେବ।
Leave A Reply

Your email address will not be published.