Odisha Link
Bridging the Missing Links in Odisha

ଦିଲ୍ଲୀର ଧାର୍ମିକ ସ୍ଥାନରେ ହୋଇପାରେ ଆକ୍ରମଣ: ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପୂର୍ବରୁ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୋଲିସ ଏକ ଉଚ୍ଚସ୍ତରୀୟ ବୈଠକ କରିଥିବା ବେଳେ ଗୁଇନ୍ଦା ରିପୋର୍ଟକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସଦ୍ୟ ରିପୋର୍ଟ ଅନୁସାରେ, ଖଲିସ୍ତାନୀ ସମର୍ଥକ ଦିଲ୍ଲୀ ପୋଲିସ ବେଶରେ ଲାଲ କିଲ୍ଲାରେ ପ୍ରବେଶ କରିପାରନ୍ତି। ଦିଲ୍ଲୀରେ ଥିବା ଧାର୍ମିକ ସ୍ଥଳରେ ଆକ୍ରମଣ ସ୍ଥିତି ଉପୁଜିପାରେ।

ଦିଲ୍ଲୀ ପୋଲିସ ପ୍ରବକ୍ତା ଚିନ୍ମୟ ବିଶ୍ବାଳ କହିଛନ୍ତି, ଗତବର୍ଷ ଭଳି ଚଳିତ ବର୍ଷ ଲାଲ କିଲ୍ଲା ଏବଂ ଆଖାପାଖ ଅଞ୍ଚଳରେ ସ୍ବାଧୀନତା ଦିବସକୁ ନଜରରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦେଶବିରୋଧୀ କାର୍ଯ୍ୟ ଏବଂ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଲାଲ କିଲ୍ଲା ମୁଖ୍ୟ ଦ୍ବାରରେ ଦିଲ୍ଲୀ ପୋଲିସ ଏକ ବିଶାଳ କାନ୍ଥ ଛିଡ଼ା କରିଛି।

ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସରେ ଶହ ଶହ ଆନ୍ଦୋଳନରତ ଚାଷୀ ଲାଲ କିଲ୍ଲା ଭିତରକୁ ଧସେଇ ପଶିଥିଲେ। ଯେଉଁଠି ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ପତାକା ଲଗାନ୍ତି ସେଠାରେ ସେମାନେ ଧାର୍ମିକ ପତାକା ମଧ୍ୟ ଲଗାଇଦେଇଥିଲେ। କୃଷକଙ୍କ ଟ୍ରାକ୍ଟର ପରେଡ୍‌ ସମୟରେ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା।

Leave A Reply

Your email address will not be published.