Odisha Link
Bridging the Missing Links in Odisha

ଆୟୂଷ୍ମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ବବି-ଧର୍ମେନ୍ଦ୍ର ମୁହାଁମୁହିଁ

ଭୁବନେଶ୍ୱର: ଆୟୂଷ୍ମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି। ଆୟୂଷ୍ମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଉଭୟ ପରସ୍ପରକୁ ଟାର୍ଗେଟ କରିଛନ୍ତି।

ଧର୍ମେନ୍ଦ୍ର ଟ୍ୱିଟରେ ଉଲ୍ଲେଖ କରିଥିଲେଯେ, ଓଡ଼ିଶାର ଲୋକମାନେ ବିଶେଷଭାବେ ପ୍ରବାସୀ ଓଡ଼ିଆମାନେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ କଲ୍ୟାଣକାରୀ ସ୍ୱାସ୍ଥ୍ୟ ଯୋଜନା ଆୟୂଷ୍ମାନ ଭାରତକୁ ତୁରନ୍ତ ଲାଗୁ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରୁଛି।

ଓଡ଼ିଶାରେ ଆୟୂଷ୍ମାନ ଯୋଜନା ଲାଗୁ ହେଲେ ଗରିବ ଲୋକଙ୍କ ସମେତ ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କାମ କରୁଥିବା ଲୋକମାନେ ବିଶେଷଭାବେ ଉପକୃତ ହୋଇପାରିବେ। ତେଣୁ ଓଡ଼ିଶା ଲୋକଙ୍କ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଅନୁରୋଧ।

ଟ୍ୱିଟରର ଜବାବ ଦେଇ ବବି କହିଛନ୍ତି ଯେ, ଆୟୂଷ୍ମାନ ଭାରତ ହେଉଛି ଏକ ଇନ୍ସୁରାନ୍ସ। କିନ୍ତୁ ବିଏସକେୱାଇ ହେଉଛି ଏସୁରାନ୍ସ, ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଭରସା। ଧର୍ମେନ୍ଦ୍ର ଭାଇ ଆମେ ମମତା ଯୋଜନା କଲୁ, ଆପଣ କଲେ, ଆମେ କାଳିଆ ଯୋଜନା କଲୁ ଆପଣ କଲେ। ଆମେ ବିଏସକେୱାଇ କରୁଛୁ, ମୁଁ ସୁନିଶ୍ଚିତ ଆପଣ ବି କରିବେ।

ଆୟୂଷ୍ମାନ ଭାରତରେ ନିର୍ଦ୍ଧିଷ୍ଟ ଭାବେ ମା’ମାନଙ୍କ ପାଇଁ ଶୂନ୍ୟ ବ୍ୟବସ୍ଥା ରହିଛି କିନ୍ତୁ ବିଏସକେୱାଇରେ ସ୍ୱତନ୍ତ୍ର ଭାବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି ।ଆୟୂଷ୍ମାନରେ ଆପୋଲୋ, ଫର୍ଟିଜ ଭଳି ହସପିଟାଲ ଅନ୍ତର୍ଭୁକ୍ତ ନୁହେଁ କିନ୍ତୁ ବିଏସକେୱାଇରେ ଆପୋଲୋ, ଫର୍ଟିଜ ସହ ପ୍ରାୟ ସମସ୍ତ ବଡ଼ବଡ଼ ହସପିଟାଲ ଅନ୍ତର୍ଭୁକ୍ତ।

ଆୟୂଷ୍ମାନ ଭାରତର ହିତାଧିକାରୀ ୬୦ ଲକ୍ଷରେ ସୀମିତ କିନ୍ତୁ ବିଏସକେୱାଇର ହିତାଧିକାରୀ ୯୬ ଲକ୍ଷ ପରିବାର, ଯାହା ପ୍ରାୟ ଶତ ପ୍ରତିଶତ। ଆୟୂଷ୍ମାନ ଭାରତର କଭରେଜ ସରକାରୀ ହସପିଟାଲ ସମେତ ମାତ୍ର ୫ ଲକ୍ଷ, କିନ୍ତୁ ବିଏସକେୱାଇରେ ସରକାରୀ ହସପିଟାଲରେ କୌଣସି ସୀମା ନାହିଁ ବୋଲି ବବି ଟ୍ୱିଟ କରିଛନ୍ତି।

Leave A Reply

Your email address will not be published.