Odisha Link
Bridging the Missing Links in Odisha

ଆଜିଠୁ ରାଜ୍ୟରେ ଲଘୁଚାପ ବର୍ଷା

ଭୁବନେଶ୍ବର: ରାଜ୍ୟରେ ମରୁଡ଼ି ସ୍ଥିତି ଦେଖାଯାଇଥିବା ବେଳେ ଆସିଲା ଆଶ୍ବସ୍ତିକର ଖବର। କାରଣ ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଦିନ ଲଘୁଚାପରେ ପରିଣତ ହୋଇଛି। ଯାହାର ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିବାର ସମ୍ଭାବନାର ରହିଛି।

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଶୁକ୍ରବାର ରାତିରୁ ଅନେକ ଜାଗାରେ ବର୍ଷା ଆରମ୍ଭ ହୋଇଯାଇଛି। ଶନିବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜାଗାରେ ବର୍ଷା ହେବ। ଉତ୍ତର ଓଡ଼ିଶାର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଏହାବାଦ୍‌ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ।

ସେହିପରି ରବିବାର ମଧ୍ୟ ବର୍ଷା ଲାଗି ରହିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ମାତ୍ର ସୋମବାରଠାରୁ ବର୍ଷା ପରିମାଣ କ୍ରମଶଃ କମିବ। ବଡ଼ ବର୍ଷା ସମ୍ଭାବନା ସୋମବାରଠାରୁ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।