Odisha Link
Bridging the Missing Links in Odisha

ତାଲିବାନକୁ ସମର୍ଥନ ନକଲେ ୯/୧୧ ପରି ଆକ୍ରମଣ ହୋଇପାରେ: ମୋଇଦ ୟୁସୁଫ

ଇସଲାମାବାଦ: ତାଲିବାନକୁ ଖୋଲାଖୋଲି ଭାବେ ସମର୍ଥନ କରୁଛି ପାକିସ୍ତାନ। ଗତକାଲି ପାକିସ୍ତାନୀ ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫଙ୍କ ବିବୃତ୍ତିରେ ଏହାର ପ୍ରମାଣ ଦେଖିବାକୁ ମିଳିଛି। ଅବଶ୍ୟ ମୋଇଦ ପରେ ନିଜର ବିବୃତ୍ତିକୁ ବଦଳାଇ ଦେଇଛନ୍ତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ମୋଇଦ ୟୁସୁଫ କହିଛନ୍ତି ଯେ, ଯଦି ଆଫଗାନିସ୍ତାନର ନୂତନ ନେତୃତ୍ୱକୁ ସ୍ୱୀକୃତି ନ ଦିଆଯାଏ ତେବେ ପାଶ୍ଚାତ୍ୟ ଦେଶମାନେ ପୁଣି ଥରେ ୯/୧୧ ଭଳି ଆକ୍ରମଣର ଶିକାର ହୋଇପାରନ୍ତି। ଏଭଳି କହି ୟୁସୁଫ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଆକ୍ରମଣର ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, ‘ଯଦି ୯୦ ଦଶକର ଭୁଲ ପୁନରାବୃତ୍ତି ହୁଏ ଏବଂ ଆଫଗାନିସ୍ତାନ ଏକୁଟିଆ କରିଦିଆଯାଏ, ତେବେ ଏହାର ପରିଣାମ ମଧ୍ୟ ସେହିଭଳି ହୋଇପାରେ। ଯଦି ସୁରକ୍ଷା ବ୍ୟବସ୍ଥାରେ ଟିକେ ବି ତ୍ରୁଟି ହୁଏ, ତେବେ ଏହାର ପରିଣାମ ପାକିସ୍ତାନ ହେଉ କି ପାଶ୍ଚାତ୍ୟ ଦେଶ ସମସ୍ତଙ୍କ ପାଇଁ ବିପଦଜନକ ହେବ।’

ତେବେ ଏହି ବୟାନକୁ ନେଇ ସମାଲୋଚୋନା ହେବା ପରେ ୟୁସୁଫ ବର୍ତ୍ତମାନ ଖବରକାଗଜକୁ ସାକ୍ଷାତକାର ପ୍ରତ୍ୟାହାର କରିବାକୁ କହିଛନ୍ତି। ବାର୍ତ୍ତାଳାପକୁ ବିକୃତ କରାଯାଇଛି ବୋଲି ସେ କହିଛନ୍ତି।

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ତାଲିବାନକୁ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ତାଲିବାନର କ୍ଷମତାକୁ ‘ଦାସତ୍ୱର ଶିକୁଳି ଭାଙ୍ଗିବା’ ଭଳି ପଦକ୍ଷେପ ବୋଲି ସେ କହିଥିଲେ। ପାକିସ୍ତାନ ବ୍ୟତୀତ ରୁଷ, ଚୀନ୍ ଏବଂ ତୁର୍କୀ ଭଳି ଦେଶ ମଧ୍ୟ ଆରମ୍ଭରୁ ତାଲିବାନ ସହିତ ଭଲ ସମ୍ପର୍କରେ ଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.