Odisha Link
Bridging the Missing Links in Odisha

ଟି-୨୦ ବିଶ୍ଵକପ୍: ୭ରେ ଘୋଷଣା ହେବ ଟିମ୍‌ ଇଣ୍ଡିଆ , ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ: ବାଜିଲାଣି ବିଗୁଲ। ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ଅକ୍ଟୋବର ୧୭ରୁ ଆରମ୍ଭ ହେଉଛି ଫଟାଫଟ୍‌ ଟି-୨୦ ବିଶ୍ବକପ୍। ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ପାଇଁ କିଛି ଦେଶ ନିଜ ଟିମ୍‌ ଘୋଷଣା କରିସାରିଲେଣି। ହେଲେ ଏପର୍ଯ୍ୟନ୍ତ ବିସିସିଆଇ ଟିମ୍‌ ମ୍ୟାନେଜମେଣ୍ଟ ବିଶ୍ବକପ୍‌ ପାଇଁ ଏଯାଏଁ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ନାମ ଘୋଷଣା କରିନାହିଁ। କେବେ ଦଳ ଘୋଷଣା ହେବ ସେନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ଏବେ ସେଥିରୁ ପରଦା ଉଠିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ଚତୁର୍ଥ ଟେଷ୍ଟ ପରେ ଭାରତୀୟ ଟି-୨୦ ସ୍କ୍ୱାଡର ଚୟନ ହେବ ବୋଲି ଜଣାପଡ଼ିଛି।

ଚଳିତଥର କରୋନା ପାଇଁ ଭାରତରେ ବିଶ୍ବକପ୍‌ ନହୋଇ ଓମାନ ଓ ୟୁଏଇରେ ଟି-୨୦ ବିଶ୍ବକପ୍‌ ଖେଳାଯିବ। ଅକ୍ଟୋବର ୧୭ ତାରିଖରେ ଟି-୨୦ କ୍ରିକେଟ ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ସେପ୍ଟେମ୍ବର ୭ ତାରିଖରେ ଭାରତୀୟ ଦଳର ଚୟନ ହେବ ବୋଲି ସୂଚନା ରହିଛି।

ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଆଇପିଏଲ୍-୨୦୨୧ର ପ୍ରଦର୍ଶନ ଆଧାରରେ କୌଣସି ଖେଳାଳିଙ୍କୁ ଟି-୨୦ ବିଶ୍ୱକପରେ ସ୍ଥାନ ମିଳିବ ନାହିଁ। ଚୟନକର୍ତ୍ତା ଓ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ପୂର୍ବରୁ ହିଁ ଖେଳାଳି ଚୟନ କରିସାରିଛନ୍ତି। କେବଳ ଔପଚାରିକତା ବାକି ରହିଛି।

ମିଡିଆ ରିପୋର୍ଟ ମୁତାବକ, ଟି-୨୦ ବିଶ୍ୱକପ୍ ପାଇଁ ଭାରତ ୧୫ ଜଣିଆ ସ୍କ୍ୱାଡର ଚୟନ କରିବ। ଏହାବ୍ୟତୀତ ଟିମ୍ ୩ଜଣ ରିଜର୍ଭ ଖେଳାଳିଙ୍କୁ ରଖିବ। ଇଶାନ୍ କିଶନ, ପୃଥ୍ୱୀ ଶ’ ଓ ଜଣେ ସ୍ପିନର ରିଜର୍ଭ ଖେଳାଳି ଭାବେ ୟୁଏଇ ଯିବେ। ଅନ୍ୟପକ୍ଷରେ ସୂର୍ଯ୍ୟକୁମାର କୁମାର ଯାଦବ, ଶ୍ରେୟସ ଆୟର୍ ଓ ମହମ୍ମଦ ସିରାଜଙ୍କୁ ଟି-୨୦ ବିଶ୍ୱକପ୍ ଟିମରେ ସୁଯୋଗ ମିଳିପାରେ। ଆର୍ ଅଶ୍ୱିନ୍, ବରୁନ୍ ଚକ୍ରବର୍ତ୍ତୀ, ରାହୁଲ୍ ଚହର୍ ଓ ୱାଶିଂଟନ୍ ସୁନ୍ଦରଙ୍କ ମଧ୍ୟରୁ ଅତିରିକ୍ତ ସ୍ପିନର ଭାବେ ଜଣଙ୍କୁ ସାମିଲ କରାଯାଇପାରେ। ତେବେ ସ୍କ୍ୱାଡରୁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କୁ ବାଦ୍ ଦିଆଯାଇପାରେ।

ସୂଚନାଯୋଗ୍ୟ, ଭାରତୀୟ ଦଳ ଅକ୍ଟୋବର ୨୪ରେ ନିଜର ଟି-୨୦ ବିଶ୍ଵ କପ୍ ଅଭିଯାନ ଆରମ୍ଭ କରିବ। ଭାରତ ପ୍ରଥମ ମ୍ୟାଚ୍‌ରେ ନିଜର ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ। ଏହା ପରେ ଅକ୍ଟୋବର ୩୧ରେ ନ୍ୟୁଜିଲାଣ୍ଡ, ନଭେମ୍ଵର ୩ରେ ଆଫଗାନିସ୍ତାନ ଓ ନଭେମ୍ବର ୫ରେ ସୁପର ୧୨ରେ ଯୋଗ୍ୟତାଅର୍ଜନ କରିଥିବା ଦଳ ସହ ଖେଳିବ।

Leave A Reply

Your email address will not be published.