‘ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଧାୟକ ଓ ମନ୍ତ୍ରୀଙ୍କ ଆସ୍ଥା ନାହିଁ’

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଇସ୍ତଫା ଦେବା ଦରକାର ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଦାବି କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଗୋଟିଏ ଅଚଳ ସରକାର ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକମାନଙ୍କର ଆସ୍ଥା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦରକାର।
ଗୃହ ବାହାରେ ଗଣମାଧ୍ୟମକୁ ଶ୍ରୀ ମିଶ୍ର କହିଛନ୍ତି, ଓଡ଼ିଶାରେ ଏବେ ଅଦ୍ଭୂତ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି କେବେ ଆଗରୁ ହୋଇନଥିଲା। ଅଧାରୁ ଅଧିକ ମନ୍ତ୍ରୀ ଓ ବିଧାୟକ ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ୧୭୭ଟି ହାଇସ୍କୁଲକୁ ଗ୍ରାଣ୍ଟ-ଇନ-ଏଡ୍ ଦାବି କରି ଶିକ୍ଷକମାନେ ତାଙ୍କୁ ଏଭଳି ଏକ ଦରଖାସ୍ତ ଦେଇଛନ୍ତି ଯେଉଁଥିରେ ୮୨ଜଣ ବିଧାୟକ ଓ ମନ୍ତ୍ରୀଙ୍କ ଦସ୍ତଖତ ରହିଛି। ଏହି ଦରଖାସ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକମାନେ ପ୍ରଶ୍ନ କରିଛନ୍ତି ଯେ କାହିଁକି ଏସବୁ ସ୍କୁଲକୁ ଗ୍ରାଣ୍ଟ-ଇନ-ଏଡ୍ ଦିଆଯାଉ ନାହିଁ। ଏଠି ଗ୍ରାଣ୍ଟ-ଇନ-ଏଡ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କ୍ୟାବିନେଟ୍ ମନ୍ତ୍ରୀ ଲେଖୁଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏ ସରକାରରେ ମନ୍ତ୍ରୀମାନଙ୍କର କିଛି ଭୂମିକା ନାହିଁ। ମନ୍ତ୍ରୀମାନେ ଅପାରଗ ହୋଇପଡ଼ିଛନ୍ତି ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ମନ୍ତ୍ରୀ ଯେତେବେଳେ ଅନୁଭବ କରନ୍ତି ଯେ ସେ ସରକାର ନୁହଁନ୍ତି, ତାଙ୍କୁ ସରକାର ବୋଲି ମାନ୍ୟତା ଦିଆଯାଉ ନାହିଁ। ସେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଥାନ୍ତି। ବୋଧହୁଏ ମୁଖ୍ୟମନ୍ତ୍ରୀ ଅବା ତାଙ୍କ ତରଫରୁ ସେମାନଙ୍କୁ ସରକାରର ମାନ୍ୟତା ଦିଆଯାଉ ନାହିଁ। ମନ୍ତ୍ରୀଙ୍କର କଲେକ୍ଟିଭ ରେସପନ୍ସିବିଲିଟି ରହିଛି। ସ୍କୁଲକୁ ଅନୁଦାନ ଦେବା ପାଇଁ ମନ୍ତ୍ରୀମାନେ ଏଠି ବିରୋଧୀ ଦଳକୁ ସାହାଯ୍ୟ ମାଗୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।