Odisha Link
Bridging the Missing Links in Odisha

କାଲିଠୁ ୪ର୍ଥ ଟେଷ୍ଟ, ଭାରତୀୟ ଦଳରେ ସାମିଲ ହେଲେ ଏହି ଷ୍ଟାର ଖେଳାଳି

ଲଣ୍ଡନ: କାଲିଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍। ସିରିଜର ଚତୁର୍ଥ ଟେଷ୍ଟ ଆସନ୍ତାକାଲିଠାରୁ ଲଣ୍ଡନର ଦି ଓଭାଲରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳରେ କରାଯାଇଛି ପରିବର୍ତ୍ତନ। ଯୁବ ପେସ୍ ବୋଲର ପ୍ରସିଦ୍ଧ କୃଷ୍ଣଙ୍କୁ ଭାରତୀୟ ଟେଷ୍ଟ ଟିମରେ ସାମିଲ୍ କରାଯାଇଛି। ଏନେଇ ବିସିସିଆଇ ଟ୍ୱିଟରରେ ପୋଷ୍ଟ କରି ଏହାର ସୂଚନା ଦେଇଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ବର୍ତ୍ତମାନ ୧-୧ରେ ବରାବର ଅଛି। ତୃତୀୟ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଥିଲା। ସିରିଜର ପ୍ରଥମ ଟେଷ୍ଟ ବର୍ଷା ଯୋଗୁ ଡ୍ର’ ରହିଥିଲା। ଓଭାଲରେ ଖେଳାଯିବାକୁଥିବା ଚତୁର୍ଥ ଟେଷ୍ଟ ପାଇଁ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଚତୁର୍ଥ ଟେଷ୍ଟରେ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ସାମିଲ୍ କରାଯାଇପାରେ।

ସୂଚନା ଯୋଗ୍ୟ, ପ୍ରସିଦ୍ଧ ଭାରତୀୟ ଟିମରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡରେ ଅଛନ୍ତି ଏବଂ ଟିମ୍ ସହ ପ୍ରାକ୍ଟିସ୍ କରୁଥିଲେ। ପ୍ରସିଦ୍ଧଙ୍କ ସାମିଲ୍ ହେବା ପରେ ଏବେ ସିରିଜରେ ଭାରତର ପେସ୍ ବୋଲରଙ୍କ ସଂଖ୍ୟା ୭ ହୋଇଛି, ଯେଉଁଥିରେ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଈଶାନ୍ତ ଶର୍ମା, ଉମେଶ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ୍ ପୂର୍ବରୁ ଟିମରେ ଅଛନ୍ତି।

୨୫ ବର୍ଷୀୟ ଏହି ଡାହାଣହାତୀ ପେସର୍ ୯ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୩୫ ୱିକେଟ୍ ନେଇଛନ୍ତି। ଚଳିତ ବର୍ଷ ପ୍ରସିଦ୍ଧ ଘରୋଇ ମାଟିରେ ଇଂଲଣ୍ଡ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିଥିଲେ, ଯେଉଁଥିରେ ସେ ୬ଟି ୱିକେଟ୍ ହାସଲ କରିଥିଲେ। ଏହି ସଫଳତା ପରେ ତାଙ୍କୁ ଟିମରେ ରଖାଯାଇଛି।