Odisha Link
Bridging the Missing Links in Odisha

ତାଲିବାନକୁ ୩୧ ମିଲିୟନ୍ ଡଲାର ସହ ଭ୍ୟାକସିନ୍‌ ଦେଲା ଚାଇନା

ବେଜିଂ: ଆଫଗାନିସ୍ତାନରେ ତାଲିବାନ ନିଜର ସରକାର ଗଠନ କରିଛି। ସରକାର ଗଠନର ୨୪ ଘଣ୍ଟା ଭିତରେ ତାଲିବାନକୁ ସହାୟତା ଘୋଷଣା କରିଛି ଚାଇନା। ଚାଇନା ତାଲିବାନ ସରକାରକୁ ୩୧୦ ଲକ୍ଷ ବା ୩୧ ମିଲିୟନ୍ ଆମେରିକୀୟ ଡଲାର୍ ସହାୟତା କରିବାକୁ ଘୋଷଣା କରିଛି। ଏହାସହ ଚାଇନା ଆଫଗାନିସ୍ତାନ ପାଇଁ କରୋନା ଭ୍ୟାକସିନ୍‌ର ଜୋଡ୍ ମଧ୍ୟ ପଠାଇବାକୁ ଘୋଷଣା କରିଛି।

ଏହି ସହାୟତା ଦେଶରେ ଅରାଜକତା ଶେଷ କରିବା ସହ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବାରେ ସହାୟକ ହେବ ବୋଲି ଚାଇନା କହିଛି। ନିକଟରେ ଆଫଗାନିସ୍ତାନର ପରିସ୍ଥିତି ଉପରେ ପଡ଼ୋଶୀ ଦେଶର ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ବୈଠକରେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି’ କହିଥିଲେ ଯେ ‘ଚାଇନା ଆଫଗାନିସ୍ତାନକୁ ୨୦୦ ମିଲିୟନ୍ ୟୁଆନ୍ (୩୧ ମିଲିୟନ୍ ଆମେରିକୀୟ ଡଲାର୍)ର ସହାୟତା ଆଧାରରେ ଖାଦ୍ୟଶସ୍ୟ, ଶୀତ ବସ୍ତ୍ର, କରୋନା ଟିକା ଓ ଅତ୍ୟାବଶ୍ୟକ ମେଡିସିନ୍ ଯୋଗାଇଦେବ।’

ପାକିସ୍ତାନର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇରାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀ ଯୋଗ ଦେଇଥିଲେ। ହେଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରୁଷ୍ ଭାଗ ନେଇନଥିଲା। ବୈଠକରେ ୱାଙ୍ଗ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ଚାଇନା ଆଫଗାନିସ୍ତାନକୁ ୩୦ ଲକ୍ଷ ଟିକା ଦାନ କରିବାକୁ ନିଷ୍ପତ୍ତି ନେଇଛି।

ସମସ୍ତେ ଆଫଗାନିସ୍ତାନ ପାଇଁ ଆର୍ଥିକ ସହାୟତା ଜାରି ରଖିବା ନିହାତି ଜରୁରୀ ବୋଲି ଚାଇନା କହିଛି। ଆଫଗାନିସ୍ତାନକୁ ଦିଆଯାଉଥିବା ଏହି ସହାୟତା ଏବେ ଆରମ୍ଭ ମାତ୍ର। ଏବେ ଆଫଗାନିସ୍ତାନରେ ସ୍ଥିତି ସ୍ୱାଭାବିକ ହେବା ଦରକାର। ତା’ ପରେ ଆହୁରି ଅର୍ଥରାଶି ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।

ତାଲିବାନ ଗତ ସପ୍ତାହରେ ଘୋଷଣା କରିଥିଲା ଯେ ଚାଇନା ହେଉଛି ଏକ ଆର୍ଥିକ ସୁପରପାୱାର। ତେଣୁ ଏଭଳି ସ୍ଥିତିରେ ଚାଇନା ହେଉଛି ସେମାନଙ୍କର ବଡ଼ ସାଥୀ। ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଏକ ଖବର କାଗଜକୁ ସାକ୍ଷାତକାର ଦେଇ କହିଥିଲେ, ତାଙ୍କର ପୂରା ସଂଗଠନ ଚାଇନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ନିକଟରେ ଆଫଗାନିସ୍ତାନ ସମେତ ପଶ୍ଚିମ ଦେଶ ଗୁଡ଼ିକ ଆଫଗାନିସ୍ତାନକୁ ଦିଆଯାଉଥିବା ଆର୍ଥିକ ସହାୟତା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯାହା ପରେ ତାଲିବାନକୁ ସରକାର ଗଠନ କରିବା ପାଇଁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡ଼ୁଛୁ। ଏଭଳି ସ୍ଥିତିରେ ଚାଇନା ହି ତାଲିବାନକୁ ସହାୟତାର ହାତ ବଢ଼ାଇଛି।

Leave A Reply

Your email address will not be published.