Odisha Link
Bridging the Missing Links in Odisha

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କର ମୃତ୍ୟୁ

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛିି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ରାତି ଅଧରେ ତାଙ୍କର ପୋଷ୍ଟମର୍ଟମ ହୋଇଛି। ପୋଷ୍ଟ ମର୍ଟମ ପରେ ପରିବାରକୁ ମୃତଦେହକୁ ହସ୍ତାନ୍ତର କରାଯାଇଛି।

ଗତକାଲି କଟକ ବଡ଼ ମେଡିକାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଆଣି ଦୁଷ୍ମନ୍ତ ବିଧାନସଭା ଆଗରେ ହାତ କାଟିବା ସହ ବିଷ ପିଇଥିଲେ। ଘଟଣାସ୍ଥଳରୁ ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ପଠାଇଥିଲେ।

ଦୁଷ୍ମନ୍ତ ବିଧାନସଭା ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚି ହଠାତ୍ ତାଙ୍କ ହାତ କାଟି ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଚିତ୍କାର କରିବାରୁ ଉପସ୍ଥିତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ଘେରି ଯାଇଥିଲେ। ଆମ୍ବୁଲାନ୍‌ସକୁ ଡକାଇବା ସହ ପୁଲିସ ତାଙ୍କର ପ୍ରାଥମିକ ଚିକିତ୍ସା‌ କରୁଥିବା ବେଳେ ସେ ବିଷ ପିଇ ଦେଇଥିବା କଥା କହିଥିଲେ। ହାତ କାଟିବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହେବା ଓ ବିଷପାନ ଯୋଗୁଁ ସେ ଅତ୍ୟଧିକ ଗୁରୁତର ହୋଇପଡ଼ିଥିବାରୁ ମୃତ୍ୟୁ ଘଟିଛି।

ଏଭଳି ପଦକ୍ଷେପ ନେବା କାରଣ ବାବଦରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ଗତବର୍ଷ ମାର୍ଚ୍ଚ ୨୨ରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ କ୍ଷତିଗ୍ରସ୍ତ ହୋଇଥିଲା। କଟକ ବଡ଼ ମେଡିକାଲରେ ସେ ଚିକିତ୍ସାଧୀନ ଥିବା ବେଳେ ଉପଯୁକ୍ତ ଚିକିତ୍ସା ପାଇନଥିଲେ। ଅସହ୍ୟ ଯନ୍ତ୍ରଣା ସତ୍ତ୍ବେ କଟକ ଡାକ୍ତରମା‌ନେ ତାଙ୍କୁ ଘରକୁ ପଳାଇବାକୁ ପରୋକ୍ଷରେ କହୁଥିଲେ। ଏମିତିକି ତାଙ୍କୁ ଜୋର୍‌ କରି ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯାଇଥିଲା। ପିଜି ଛାତ୍ରମାନେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। କରୋନା ଆଳରେ ଅପରେସନ୍ ନକରି କେବଳ ଔଷଧ ଦେଇ ବେଡ୍‌ରେ ପକାଇ ରଖିଥିଲେ। ପ୍ଲା‌ଷ୍ଟିକ୍‌ ସର୍ଜରିକୁ ଘୁଞ୍ଚାଇ ଦିଆଯାଇଥିଲା।

ଗୋଡ଼ ହରାଇବା ନିଶ୍ଚିତ ହେବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମାନସିକବିକାରଗ୍ରସ୍ତ ସ୍ତ୍ରୀ ଓ ଗରିବ ବାପାମା’ଙ୍କୁ ନେଇ ବଞ୍ଚିବା କଷ୍ଟକର ହେବ ବୋଲି ଜାଣି ସେ ଇଛା ମୃତ୍ୟୁ ପାଇଁ ପ୍ରଶାସନକୁ ଚିଠି ଲେଖିଥିଲେ। ଜିଲ୍ଲାପାଳଙ୍କୁ ଚିଠି ଦେବା ପରେ ସ୍ବାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଧ୍ୟ ଇଛା ମୃତ୍ୟୁ ପ୍ରସଙ୍ଗରେ ଚିଠି ଲେଖିଥିଲେ। ମାତ୍ର କୌଣସି ଠାରୁ ତାଙ୍କୁ ସହଯୋଗ ମିଳିନଥିଲା। ତେଣୁ ଶେଷରେ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେଲେ ବୋଲି କହିଥିଲେ।

Leave A Reply

Your email address will not be published.