Odisha Link
Bridging the Missing Links in Odisha

୧୭ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା: ଆଇଏମ୍‌ଡି ଡିଜି

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ବର୍ଷା ଲାଗି ରହିଛି। ଏହାରି ମଧ୍ୟରେ ପୁଣି ମାଡ଼ି ଆସୁଛି ଆଉ ଏକ ବର୍ଷା ବିତ୍ପାତ। ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର।

ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ୧୭ ତାରିଖ ଠାରୁ ରାଜ୍ୟରେ ପୁଣି ଲାଗି ରହିବ ବର୍ଷା। ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ବର୍ଷା ହେବ।

ଆଜି ବର୍ଷା ସଂପର୍କରେ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଗଭୀର ଅବପାତ ଆଜି ଚାନ୍ଦବାଲିଠାରେ ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି କାଲି ଛତିଶଗଡ଼ ଛୁଇଁବ। ଏହାର ପ୍ରଭାବରେ କ୍ରମେ ଉପକୂଳରେ ବର୍ଷା କମିବ, କିନ୍ତୁ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ବଢ଼ିବ। ବିଶେଷ କରି ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ବୌଦ୍ଧରେ ପ୍ରବଳ ବର୍ଷିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ବର୍ଷା ପାଇଁ ପାଞ୍ଚ ଜିଲ୍ଲାକୁ ଆଜି ପାଇଁ ପାଣିପାଗ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିଛି। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼କୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୧୦ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ। ସେହିପରି ୯ ଜିଲ୍ଲା ଯଥା- ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୁରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ ହୋଇଛି। ଗୋଟିଏ ଦିନର ବର୍ଷାରେ ୮୭ ବର୍ଷର ପୁରୁଣା ରେକର୍ଡ ପୁରୀ ଭାଙ୍ଗିଛି। ପାରାଦୀପରେ ୨୧୯ ମିମି ଓ ଭୁବନେଶ୍ୱରରେ ୧୯୫ ମିମି ବର୍ଷା ରେକର୍ଡ ହୋଇଛି। ୧୨ ସକାଳ ୮ଟା ୩୦ରୁ ୧୩ ତାରିଖ ସକାଳ ୮ଟା ୩୦ ମଧ୍ୟରେ ବର୍ଷା ରେକର୍ଡ କରାଯାଇଛି। ସେହିପରି ୬୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ଭୁବନେଶ୍ୱର।

Leave A Reply

Your email address will not be published.