Odisha Link
Bridging the Missing Links in Odisha

ଇନ୍ଦୋରରେ କଂଗ୍ରେସକୁ ଝଟକା, ନାମାଙ୍କନ ପତ୍ର ଫେରାଇ ଆଣି ବିଜେପିରେ ମିଶିଲେ ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ହେଉଥିବା ନିର୍ବାଚନ ମାହୋଲ। ଲୋକସଭା ନିର୍ବାଚନ ୨୦୨୪ର ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ରାଜନୈତିକ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟକା। କାରଣ ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଲା ଗୁଜରାଟ ସୁରଟ ଘଟଣାର ପୁନରାବୃତ୍ତି। ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ଥିବା ଅକ୍ଷୟ କାନ୍ତୀ ବମ୍‌ ନିଜ ନାମାଙ୍କନ ପତ୍ର ଫେରାଇ ଆଣିଛନ୍ତି। କେବଳ ସେତିକି ନୁହେଁ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି।

ଇନ୍ଦୋର ଲୋକସଭା ଆସନରେ ନିର୍ବାଚନ ପାଇଁ ମେ’ ୨୫ ତାରିଖରେ ଅକ୍ଷୟ କାନ୍ତୀ ନାମାଙ୍କନ କରିଥିଲେ। ଏପ୍ରିଲ ୨୯ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା। ଏହା ପୂର୍ବରୁ ସେ ଜିଲ୍ଲାପାଳ ଅଫିସ ଯାଇ ନିଜ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। ହାତ ଛାଡି ପଦ୍ମ ଧରିଛନ୍ତି। ଯାହାଫଳରେ ମୈଦାନରେ କଂଗ୍ରେସ ପାର୍ଥୀ ନାହାନ୍ତି। ଅକ୍ଷୟ ବମ୍‌ ବିଜେପିର ସାଂସଦ ଶଙ୍କର ଲାଲଓ୍ବାନୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥାନ୍ତେ।

ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ସରକାରର କ୍ୟାବିନେଟ ମନ୍ତ୍ରୀ କୈଳାଶ ବିଜୟବର୍ଗିୟ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅକ୍ଷୟ ବାମଙ୍କ ସହ ସେଲଫି ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ୱରେ ଇନ୍ଦୋର କଂଗ୍ରେସ ଲୋକସଭା ପ୍ରାର୍ଥୀ ଅକ୍ଷୟ କାନ୍ତୀ ବିଜେପି ସାମିଲ ହୋଇଛନ୍ତି। ତାଙ୍କୁ ଦଳକୁ ସ୍ୱାଗତ କରାଯାଇଛି।

Leave A Reply

Your email address will not be published.