Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା ବିଧାନସଭା ଆସନ: ଏଥର ୩ ଦଳଡିଆଁ ନେତାଙ୍କ ମଧ୍ୟରେ ନିର୍ବାଚନୀ ଲଢ଼େଇ

ଓଏଲ୍‌ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି।

ଅନ୍ୟପଟେ, ସବୁଠୁ ରୋଚକ ପାଲଟିଛି କେନ୍ଦ୍ରାପଡା ରାଜନୀତି। ବିଜେଡି ଗଡ଼ କୁହାଯାଉଥିବା କେନ୍ଦ୍ରାପଡ଼ା ବିଧାନସଭା ଆସନ ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ରାପଡ଼ା ବିଧାନସଭା ଆସନରେ ୩ ଦଳଡିଆଁ ନେତାଙ୍କ ମଧ୍ୟ ଲଢ଼େଇ ଆରମ୍ଭ ହୋଇଛି। ଗଣେଶ୍ୱର ବେହେରା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ବିଜେଡିରୁ ବିଧାୟକ ଟିକେଟ ମିଳିଛି।

ସେହିଭଳି ବିଜେଡିର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ମଧ୍ୟ ଦଳ ପରିବର୍ତନ କରି ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ପରେ କଂଗ୍ରେସ ମଧ୍ୟ ତାଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ଏହା ସହ ବିଜେପି କାହାକୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ ବିଜେଡି ଛାଡ଼ି କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ବିଜେପି ମଧ୍ୟ ତାଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ତେବେ ବିଜେପି ଓ କଂଗ୍ରେସ ମହିଳା କାର୍ଡ ଖେଳିଥିବାବେଳେ ବିଜେଡି ପୁରୁଖା ନେତାଙ୍କୁ ପ୍ରାର୍ଥୀ କରିଛି।

ଅନ୍ୟପଟେ, ୨୦୦୯ ମସିହାରେ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଗଣେଶ୍ୱର ବେହେରା ଓ ସିପ୍ରା ମଲ୍ଲିକ ମଧ୍ୟରେ ଲଢେଇ ହୋଇଥିବାବେଳେ ଏଥର ପୁଣିଥରେ ନିର୍ବାଚନୀ ମୈଦାନରେ ସେମାନେ ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ବୈଜୟନ୍ତ ପଣ୍ଡା ଏବଂ କଂଗ୍ରେସ ସିଦ୍ଧାର୍ଥ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଛି।  ତେବେ ଏଥର କେନ୍ଦ୍ରାପଡ଼ା ଲୋକସଭା ଓ ବିଧାନସଭା ଆସନରୁ କାହାକୁ କେନ୍ଦ୍ରାପଡ଼ାବାସୀ କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.