Odisha Link
Bridging the Missing Links in Odisha

ହେଲିକପ୍ଟର ଦୁର୍ଘଟଣା: ବଞ୍ଚିଥିଲେ ସେନାଧ୍ୟକ୍ଷ ବିପିନ ରାଓ୍ବତ

ଉଦ୍ଧାର ବେଳେ ଜେନେରାଲ ରାଓ୍ବତ ଜୀବିତ ଥିଲେ ଓ ନିଜର ନାମ କହିପାରିଥିଲେ

ବୁଧବାର ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ବତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ବତଙ୍କ ସମେତ ମୋଟ ୧୪ ଜଣଙ୍କର ପ୍ରାଣହାନି ଘଟିଛି। ତେବେ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ବେଳେ ଜେନେରାଲ ରାଓ୍ବତ ବଞ୍ଚିଥିଲେ ବୋଲି ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି।

ଗତକାଲି ତାମିଲନାଡ଼ୁର କୁନୁରଠାରେ ଜେନେରାଲ ରାଓ୍ବତଙ୍କ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ଉଦ୍ଧାର ବେଳେ ଜେନେରାଲ ରାଓ୍ବତ ଜୀବିତ ଥିଲେ ଓ ନିଜର ନାମ କହିପାରିଥିଲେ ବୋଲି ସୂଚନା ମିଳିଛି। ତୁରନ୍ତ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ବୁଧବାର ସକାଳ ୮ଟା ୪୭ରେ ଜେନେରାଲ୍‌ ନିଜ ପତ୍ନୀଙ୍କ ସହ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀର ପାଲମ ବିମାନବନ୍ଦରରୁ କୋଏମ୍ବାଟୁର ଯାତ୍ରା କରିଥିଲେ। ଦିନ ୧୧ଟା ୩୪ରେ ବିମାନ କୋଏମ୍ବାଟୁର ନିକଟ ସୁଲୁର ବାୟୁସେନା ବିମାନବନ୍ଦରରେ ଅବତରଣ କରିଥିଲା। ସେଠାରୁ ଏମ୍‌ଆଇ-୧୭ ଭି୫ ବିମାନରେ ୧୧ଟା ୪୭ରେ ରାଓ୍ବତ ଓ ଅନ୍ୟମାନେ ଯାତ୍ରା ଆରମ୍ଭ କରିଥିଲେ। ଗନ୍ତବ୍ୟସ୍ଥଳ ଥିଲା ଓ୍ବେଲିଂଟନ୍‌ ସ୍ଥିତ ଡିଫେନ୍ସ ସର୍ଭିସେସ୍‌ ଷ୍ଟାଫ୍‌ କଲେଜ୍। ତେବେ ଉଡ଼ାଣ ଆରମ୍ଭର ମାତ୍ର କିଛି ସମୟ ପରେ ୧୨ଟା ୨୨ରେ ବିମାନ ସହ ଏଟିଏସ୍‌ର ସମ୍ପର୍କ ଛିନ୍ନ ହୋଇଯାଇଥିଲା। ଓ୍ବେଲିଂଟନ୍‌‌ଠାରୁ ମାତ୍ର ୨୦ କିଲୋମିଟର ପୂର୍ବରୁ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା।

ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା। ଖରାପ ପାଗ ଓ ପାହାଡ଼ିଆ ଭୂଇଁ ଉପର ଦେଇ ଯାତ୍ରା କଲାବେଳେ କୁହୁଡ଼ି କାରଣରୁ ଦୁର୍ବଳ ଦୃଶ୍ୟଲବ୍ଧତା ହେତୁ ବିମାନ ଦୁର୍ଘଟଣାର ଶିକାର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.