ଇଣ୍ଡୋନେସିଆରେ ବଡ଼ ଧରଣର ଭୂକମ୍ପ, ସୁନାମି ଆର୍ଲଟ

ଜକାର୍ତ୍ତା: ଭୂକମ୍ପ ଝଟକାରେ ଥରିଛି ପୂର୍ବ ଇଣ୍ଡୋନେସିଆ। ମଙ୍ଗଳବାର ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ ଅନୁଭୂତ। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୫ ରହିଥିବା ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା ଭୂକମ୍ପ ଝଟକା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ପ୍ରାଶସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଆମେରିକା ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି ଯେ, ମାଉମେରେ ସହରର ଉତ୍ତର ଦିଗଠାରୁ ୧୦୦ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂପୃଷ୍ଠରୁ ଭୂକମ୍ପର ଗଭୀରତା ୧୮.୫ କିମି। ଫ୍ଲୋରେସ ସମୁଦ୍ରରେ ସ୍ଥାନୀୟ ସମୟ ୧୦.୨୦ରେ ଏହା ଘଟିଛି। ତେଣୁ ଫ୍ଲୋରେସ ଦ୍ୱୀପ ପାଇଁ ଅଧିକ ବିପଦ ସୃଷ୍ଟି ହୋଇଛି।
ସେହିପରି ଫ୍ୟାସିଫିକ ସୁନାମି ଓ୍ବାର୍ଣ୍ଣିଂ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ଭୂକମ୍ପର କେନ୍ଦ୍ର ସ୍ଥଳ ଠାରୁ ଉପକୂଳରେ ଥିବା ୧୦୦୦ କିମି ଅଞ୍ଚଳ ଯାଏ ବଡ଼ବଡ଼ ଢେଉ ମାଡ଼ି ଆସିବାର ଆଶଙ୍କା ରହିଛି। ତେଣୁ କେନ୍ଦ୍ର ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପ ଝଟକାରେ କ’ଣ କ୍ଷୟକ୍ଷତି ହୋଇଛି। ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇନାହିଁ। ହେଲେ ସୁନାମି ଓ ଭୂସ୍ଖଳନ ବ୍ୟାପକ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ରହିଛି। ପୂର୍ବରୁ ମଧ୍ୟ ଇଣ୍ଡୋନେସିଆରେ ଏପରି ବଡ଼ଧରଣର ଭୂକମ୍ପ ଝଟକା ପରେ ସୁନାମି ଆସି ପ୍ରଳୟ ରଚିଥିଲା।