Odisha Link
Bridging the Missing Links in Odisha

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ଆଉ କିଛି ମାସ ପରେ ରାଜ୍ୟରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହାକୁ ନଜରରେ ରଖି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାରା ରାଜ୍ୟର ଜିଲ୍ଲା ବୁଲି ବୁଲି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବା ପରେ ଏବେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବାସ ଯୋଜନା ଉପରେ କରିଛନ୍ତି ବଡ ଘୋଷଣା। ବିଜୁ ପକ୍କା ଘର ପାଇଥିବା ଏବଂ ପିଏମ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ଘରର ମରାମତି ଖର୍ଚ୍ଚ। ଏଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ। ଏଥିପାଇଁ ସରକାରଙ୍କ ତହବିଲରୁ ଖର୍ଚ୍ଚ ହେବ ୧୪୪୪ କୋଟି ଟଙ୍କା। ଆଜି କ୍ୟାବିନେଟ୍‌ ବୈଠକ ପରେ ଏହାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ଖର୍ଚ୍ଚ ବାବଦରେ ୩ ହଜାର ଟଙ୍କା ମିଳିବ। ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ। ସେହିଭଳି ଖଣି ଅଞ୍ଚଳ ପକ୍କା ଘର ଯୋଜନା ହିତାଧିକାରୀଙ୍କୁ ବି ଏହି ସହାୟତା ମିଳିବ। କେନ୍ଦ୍ରୀୟ ଯୋଜନାରେ ଘର ପାଇବାରୁ ବଞ୍ଚିତ ଲୋକଙ୍କୁ ଘର ମରାମତି କରିବାକୁ ୫ ହଜାର ଟଙ୍କା ଲେଖାଏଁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୨ ଫେବୃଆରୀରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ତାରିଖ ଘୋଷଣା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। ତେଣୁ ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟସାରା ବୁଲି ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବାଣ୍ଟିବା ସହିତ ସବୁ ଜିଲ୍ଲାକୁ କୋଟି କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଏବେ ଆବାସ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି।

Leave A Reply

Your email address will not be published.