Odisha Link
Bridging the Missing Links in Odisha

ପୁରାତନ ଛାତ୍ରଛାତ୍ରୀଙ୍କ ବିରୋଧ ଯୋଗୁ ନୟାଗଡ଼ ଗଲେନାହିଁ ଅରୁଣ ସାହୁ

ନୟାଗଡ଼ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ପରଦିନ ବିଧାୟକ ଅରୁଣ କୋଭିଡ୍‌ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୨୦୨୦ ମସିହାରେ ପରୀ ହତ୍ୟାକାଣ୍ଡ ଘଟଣା ପରେ ଶ୍ରୀ ସାହୁ ପ୍ରଥମ ଥର ପାଇଁ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ।

ନୟାଗଡ଼: ଚଳିତ ମାସ ୧୦ ତାରିଖରେ ନୟାଗଡ଼ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଥିବାବେଳେ ଏଥିରେ ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେବାର ଥିଲା। ମହାବିଦ୍ୟାଳୟ ତରଫରୁ ଏ ନେଇ ସୂଚନା ମିଳିଥିବା ବେଳେ ସ୍ବୟଂ ଶ୍ରୀ ସାହୁ ମଧ୍ୟ ନିଜ ସାମଜିକ ଗଣମାଧ୍ୟମରେ ଏହା ଜଣାଇଥିଲେ। ତେବେ ପୁରାତନ ଛାତ୍ରଛାତ୍ରୀଙ୍କ ବିରୋଧକୁ ଡରି ସେ ନୟାଗଡ଼ ଆସିଲେନାହିଁ ବୋଲି ଛାତ୍ରଛାତ୍ରୀ ମହଲରେ ଚର୍ଚ୍ଚା ହେଉଛି।

ସୌଜନ୍ୟ: ଫେସ୍‌ବୁକ୍

୨୦୨୧ ମସିହାରେ ମହାବିଦ୍ୟାଳୟକୁ ୬୦ ବର୍ଷ ପୂରଣ ହୋଇଥିବା ବେଳେ ବିଭିନ୍ନ କାରଣ ହେତୁ ହୀରକ ଜୟନ୍ତୀ ପାଳନ ହୋଇପାରିନଥିଲା। ଚଳିତ ବର୍ଷ ଏହା ହେବାକୁ ସ୍ଥିର ହୋଇଥିଲା। ହୀରକ ଜୟନ୍ତୀ ଉତ୍ସବ ପାଇଁ ନିଜେ ବିଧାୟକ ଯୋରସୋର୍‌ ଉଦ୍ୟମ କରିବା ସହ ପ୍ରସ୍ତୁତି ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କୁ ବହୁ ସଂଖ୍ୟାରେ ଏଥିରେ ଯୋଗଦେବା ପାଇଁ ମହାବିଦ୍ୟାଳୟ କର୍ତୃପକ୍ଷ ଆହ୍ବାନ ଦେଇଥିଲେ। ବିଭିନ୍ନ ବିଭାଗ ପକ୍ଷରୁ ସେମାନଙ୍କର ପୁରାତନ ଛାତ୍ରଛାତ୍ରୀଙ୍କୁ ଫୋନ୍‌ ଯୋଗେ ମଧ୍ୟ ଯୋଗାଯୋଗ କରାଯାଇଥିଲା।

ନୟାଗଡ଼ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ (ସୌଜନ୍ୟ: ଫେସ୍‌ବୁକ୍)

ଜୁନ୍‌ ୧୦ ତାରିଖରେ ମହାବିଦ୍ୟାଳୟ ପରିସରରେ ଉତ୍ସବର ଆୟୋଜନ ହୋଇଥିଲା। ସୁଦୃଶ୍ୟ ସ୍ବାଗତ ତୋରଣ, ବିଶାଳ ମଞ୍ଚ ସାଙ୍ଗକୁ ଖାଦ୍ୟପେୟ ଓ ବନ୍ଧୁମିଳନର ଆୟୋଜନ ବି କରାଯାଇଥିଲା। ଉତ୍ସବରେ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଛାଡ଼ି ଜିଲ୍ଲାର ବାକି ତିନି ବିଧାୟକ ଯୋଗଦେବାର ଥିଲା। ମୁଖ୍ୟଅତିଥି ଭାବେ ନ୍ୟାୟାଧୀଶ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ରଣପୁର ବିଧାୟକ ଓ ଦଶପଲ୍ଲାର ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଦିନଯାକ ଉତ୍ସବ ସ୍ଥଳରେ କିମ୍ବା ନୟାଗଡ଼ରେ ଅରୁଣ ସାହୁଙ୍କୁ ଦେଖିବାକୁ ମିଳିନଥିଲା।

ସେଦିନ ଅରୁଣ ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ ବୋଲି ନିଜଆଡ଼ୁ ସାମଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। କିନ୍ତୁ ସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁଇହଜାରରୁ ଅଧିକ ପୁରାତନ ଛାତ୍ର ଉପସ୍ଥିତ ଥିବା ଏହି ଉତ୍ସବରେ ଅରୁଣଙ୍କ ପ୍ରତି ପ୍ରବଳ ବିରୋଧର ସ୍ବର ଉଠିଥିଲା। ସେଥିପାଇଁ ସେଠାକୁ ଯିବାକୁ ବିଧାୟକ ଡରିଥିଲେ।

ସୌଜନ୍ୟ: ଫେସ୍‌ବୁକ୍

ବିରୋଧ ପଛରେ ଏକାଧିକ କାରଣ ଥିଲା। ବହୁ ଛାତ୍ରଛାତ୍ରୀ ଅରୁଣଙ୍କ ପ୍ରତି ବିତସ୍ପୃହ ଥିଲେ ଓ ତାଙ୍କର କାର୍ଯ୍ୟକଳାପର ବିରୋଧୀ ଥିଲେ। ଅରୁଣ ଉଚ୍ଚଶିକ୍ଷା ମନ୍ତ୍ରୀ ଥାଇ ସୁଦ୍ଧା ନୟାଗଡ଼ ମହାବିଦ୍ୟାଳୟ “ସ୍ବୟଂଶାସିତ” ପାହ୍ୟା ହରାଇବା ଜିଲ୍ଲା ପାଇଁ ଅଧିକ ଲଜ୍ଜାଜନକ ଥିଲା। ଶିକ୍ଷାମନ୍ତ୍ରୀ ଭାବରେ ଜିଲ୍ଲାରେ ଶିକ୍ଷାକ୍ଷେତ୍ରରେ ଗୋଟିଏ ବି ବିକାଶମୂଳକ ପଦକ୍ଷେପ ନନେବା ଅରୁଣଙ୍କ ପ୍ରତି ଶିକ୍ଷିତ ମହଲରେ ଏକ ବିରୋଧର ଲହର ସୃଷ୍ଟି କରିଛି। ଏଥିପାଇଁ ସେଦିନ ଯଦି ଅରୁଣ ସେ ସଭାକୁ ଯାଇଥାଆନ୍ତେ ପ୍ରବଳ ଜନବିରୋଧର ଶିକାର ହେବାର ଆଶଙ୍କା ଥିଲା। ଏହା ଭିନ୍ନ ବର୍ଷେ ବିଳମ୍ବରେ ହୀରକ ଜୟନ୍ତୀ ପାଳନ ଓ ଶିକ୍ଷାମନ୍ତ୍ରୀ ଭାବେ ଜିଲ୍ଲାପ୍ରତି ଚରମ ଅବହେଳା କରିଥିବାରୁ ଅରୁଣଙ୍କୁ ସ୍ଥାନୀୟ କଂଗ୍ରେସ ସଂଗଠନ ମଧ୍ୟ ତୀବ୍ର ବିରୋଧ କରୁଛି।

ସୌଜନ୍ୟ: ଫେସ୍‌ବୁକ୍

ଏଭଳି ସ୍ଥଳେ ଉତ୍ସବକୁ ଯିବାକୁ ତୟାର ଅରୁଣ ନିଜର କାର୍ଯ୍ୟକ୍ରମ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ନୟାଗଡ଼ରେ ତାଙ୍କ ଅନୁପସ୍ଥିତିରେ ବେଶ୍‌ ସଫଳତାର ସହ ସଭା ହୋଇଥିଲା। ତେବେ ସ୍ଥାନୀୟ ବିଧାୟକଙ୍କ ବିନା ଏଠାରେ ପ୍ରାୟ ଉତ୍ସବ ହୋଇପାରୁନଥିବାରୁ ଏଭଳି ସଫଳ ସଭାର ଶ୍ରେୟରୁ ଦୃଷ୍ଟି ଏଡ଼ାଇବା ପାଇଁ ସେଦିନ ଆଉ ଏକ ତ୍ବରିତ ଯୋଜନା କରାଯାଇଥିଲା। ମହାବିଦ୍ୟାଳୟ କର୍ତୃପକ୍ଷ ଉତ୍ସବ ମଝିରେ ଘୋଷଣା କରିଥିଲେ ଯେ ଆଜିର ଉତ୍ସବ ପରେ ଏ ବର୍ଷ ହୀରକ ଜୟନ୍ତୀ ପାଇଁ ଆଉ ଏକ ୫ ଦିନିଆ ସାମାରୋହ ଆୟୋଜନ କରାଯିବ। ନଭେମ୍ବର ମାସରେ ଏହି ସଭା ହେବାକୁ ଥିବାବେଳେ ସେତେବେଳକୁ ତାଙ୍କ ପ୍ରତି ଥିବା ବିରୋଧକୁ ପ୍ରଶମିତ କରିବା ପାଇଁ ବିଧାୟକ ଅରୁଣ ଉଦ୍ୟମ କରିପାରନ୍ତି।

ଅନ୍ୟପଟେ ନୟାଗଡ଼ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ପରଦିନ ବିଧାୟକ ଅରୁଣ କୋଭିଡ୍‌ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୨୦୨୦ ମସିହାରେ ପରୀ ହତ୍ୟାକାଣ୍ଡ ଘଟଣା ପରେ ଶ୍ରୀ ସାହୁ ପ୍ରଥମ ଥର ପାଇଁ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ।

Leave A Reply

Your email address will not be published.