Odisha Link
Bridging the Missing Links in Odisha

ରଂଜନ ଦାସ ଏକାଡେମୀ ପୁରସ୍କାର ପାଇବା ନେଇ ଚର୍ଚା, ଆସନ୍ତାକାଲି ଘୋଷଣା ହେବ ଅନ୍ୟଜଣଙ୍କ ନାମ!

ସାହିତ୍ୟ ଏକାଡେମୀ ପୁରସ୍କାର, ସଚିବ ହେବାର ସମ୍ଭାବ୍ୟ ସୁଯୋଗ ଓ ଭବିଷ୍ୟତର ରାଜନୈତିକ ଉତ୍ତରଣ ପାଇଁ ଶ୍ରୀ ଦାସଙ୍କୁ ଓଡ଼ିଶା ଲିଙ୍କ୍‌ ପକ୍ଷରୁ ଆଗୁଆ ଶୁଭେଚ୍ଛା। ତେବେ ଏସବୁ (୧) ଅନ୍ୟ ଯୋଗ୍ୟ ଲୋକଙ୍କୁ ବଳି ଚଢ଼ାଇ, (୨) ବଚସ୍କରଙ୍କୁ ହାତବାରିଶ କରି ବା (୩) ବ୍ୟାପକ ଦୁର୍ନୀତି ଲବ୍ଧ ଅର୍ଥ ଏକାଠି କରି କରାନଯାଉ।

ଭୁବନେଶ୍ବର: କବି ତଥା ଓଡ଼ିଶା ସଂସ୍କୃତି ବିଭାଗ ନିର୍ଦେଶକ ରଂଜନ କୁମାର ଦାସ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଉଛନ୍ତି ବୋଲି ପ୍ରଚାର ହେଉଛି। ଦୁଇ ବର୍ଷ ଧରି ଶ୍ରୀ ଦାସଙ୍କ ପାଇଁ ଯୋରଦାର ଲବି ଚାଲିଥିଲା। ଏ ନେଇ ଶ୍ରୀ ଦାସଙ୍କ ନିକଟତମ ମହଲରେ ଆଗୁଆ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଏକାଡେମୀ ସହ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ଭିନ୍ନ ସୂଚନା ମିଳିଛି। ତାଙ୍କୁ କବିତା ପୁସ୍ତକ ପାଇଁ ଏ ପୁରସ୍କାର ମିଳିବ ବୋଲି ଆଲୋଚନା ହେଉଥିବାବେଳେ ସେ ଏଥର ମଧ୍ୟ ପୁରସ୍କାର ପାଉନାହାନ୍ତି ବୋଲି ଚୟନ କମିଟି ସହ ସଂପୃକ୍ତ ଜଣେ ବ୍ୟକ୍ତି ଓଡ଼ିଶା ଲିଙ୍କ୍‌‌କୁ କହିଛନ୍ତି। ରଂଜନ ଦାସଙ୍କୁ ପୁରସ୍କାର ଦେବାପାଇଁ ଦୁଇବର୍ଷ ଧରି ବିଭିନ୍ନ ଉପାୟରେ ଚୟନ କମିଟିକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରାଯାଉତିଲେ ହେଁ ତାହା ସଫଳ ହୋଇ ପାରିନାହିଁ। ଆସନ୍ତାକାଲି (୨୨ ଡିସେମ୍ବର ୨୦୨୨) ପୁରସ୍କାର ଘୋଷଣା ହେବାକୁ ଥିବାବେଳେ ଏଥର ଶ୍ରୀ ଦାସ ନୁହନ୍ତି, ବରଂ ଆଉ ଜଣେ ପୁରସ୍କାର ପାଇବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

କେବଳ ଏକାଡେମୀ ପୁରସ୍କାର ନୁହେଁ, ଆଗାମୀ ୨୦୨୩ ମସିହା ଶ୍ରୀ ଦାସଙ୍କ ପାଇଁ ଏକାଧିକ ସୁନାକଳସ ଆଣି ଆସୁଛି ବୋଲି ତାଙ୍କ ଘନିଷ୍ଠ ବ୍ୟକ୍ତିମାନଙ୍କଠାରୁ ସୂଚନା ମିଳୁଛି। ଶ୍ରୀ ଦାସ ଖୁବ୍‌ ଶୀଘ୍ର ସରକାରୀ ଚାକିରିରେ ପଦୋନ୍ନତି ପାଇ ସ୍ବୟଂ ବିଭାଗର ଶାସନ ସଚିବ ହେବେ ବୋଲି ତାଙ୍କ ଘନିଷ୍ଠମାନେ କହି ବୁଲୁଛନ୍ତି। ସୂଚନାଯୋଗ୍ୟ, ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ବର୍ତ୍ତମାନ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଅଛନ୍ତି।

ସେହିପରି ବର୍ଷ ଶେଷ ଆଡ଼କୁ ଶ୍ରୀ ଦାସ ଚାକିରିରୁ ଆଗୁଆ ଅବ୍ୟାହତି ନେଇ ରାଜନୀତିକୁ ଲମ୍ଫ ପ୍ରଦାନ କରିବେ ଏବଂ ବିଜୁ ଜନତା ଦଳ ଟିକେଟ୍‌‌ରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଲଢ଼ିବେ ବୋଲି ମଧ୍ୟ ଯୋର ପ୍ରଚାର ଚାଲିଛି। ଏପରିକି ଶ୍ରୀ ଦାସ ଏବେଠାରୁ ଘନଘନ ଜିଲ୍ଲାଗସ୍ତ କରି କ୍ଷେତ୍ର ପ୍ରସ୍ତୁତି ପାଇଁ ଲାଗିଥିବା ସୂଚନା ମିଳିଛି। ସଂପ୍ରତି ବିଧାୟକ ଥିବା ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୟସ ଏବେ ୭୫ ବର୍ଷରୁ ଅଧିକ ହୋଇଥିବୋବେଳ ବିଜେଡି ଟିକେଟ୍‌‌ରେ ସେ ଲଗାତାର ୪ ଥର ବିଧାୟକ ରହିସାରିଛନ୍ତି। ଏଣୁ ଦଳ ତାଙ୍କ ସ୍ଥାନରେ ନୂଆ ମୁହଁ ଖୋଜୁଥିବା ଅନୁମାନ କରାଯାଉଛି। ପୂର୍ବରୁ ଯାଜପୁରର ଜିଲ୍ଲାପାଳ ଥିବା ଶ୍ରୀ ଦାସ ଦଳର ତୁଙ୍ଗ ନେତାଙ୍କ କୃପା ପାଇବାର ସମ୍ଭାବନା ସର୍ବାଧିକ ବୋଲି ତାଙ୍କ ଘନିଷ୍ଠମାନେ ଦୃଢ଼ୋକ୍ତି ବାଢ଼ିଛନ୍ତି।

ଶ୍ରୀ ଦାସ ଜଣେ ସାହିତ୍ୟିକ ହୋଇଥିବାରୁ ସେ ବିଭାଗର ନିର୍ଦେଶକ ହେବା ପରେ ସାହିତ୍ୟ ମହଲରେ ଯେଉଁ ଉତ୍ସାହ ଓ ଆଶା ସଂଚାର ହୋଇଥିଲା ତାହା ଅଳ୍ପ କେତେଦିନ ପରେ ମଉଳିଗଲା। ସାହିତ୍ୟର ଉନ୍ନତି ନୁହେଁ ବରଂ ନିଜ ସାହିତ୍ୟି ଓ ରାଜନୈତିକ ଭବିଷ୍ୟତକୁ ଉଜ୍ଜ୍ବଳ କରିବାକୁ ଶ୍ରୀ ଦାସ ସରକାରୀ ଚାକିରିକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ସେ ବିଭାଗକୁ ଆସିବା ପରଠାରୁ ତାଙ୍କର ପ୍ରାୟ ୧୭ଟି ପୁସ୍ତକ ବିଭିନ୍ନ ପ୍ରକାଶକଙ୍କ ଦ୍ବାରା ପ୍ରକାଶିତ ହୋଇ ସାରିଲାଣି। ଏହା ସହ ସଂଗୀତ ନାଟକ ଏକାଡେମୀ କ୍ଷମତାକୁ ବ୍ୟବହାର କରି ସେ ଏକାଧିକ ସିନେମାରେ କାହାଣୀ ଓ ଗୀତ ଲେଖିବା ସହ ବହୁ ସଂଗୀତ ଆଲବମ କରି ସାରିଛନ୍ତି।

ବର୍ତମାନ ଏକାଡେମୀର ଓଡ଼ିଆ ଭାଷା ପରାମର୍ଶଦାତା କମିଟିର ଆବାହକ ଥିବା ସାହିତ୍ୟ ସଂଗଠକ ବିଜୟାନନ୍ଦ ସିଂହଙ୍କ ସହ ଶ୍ରୀ ଦାସଙ୍କର ଘନିଷ୍ଠତା ସର୍ବଜନବିଦିତ। ନିକଟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭୁବନେଶ୍ବରରେ ‘କଥିତ ଓ ଆଦିବାସୀ ଭାଷା କେନ୍ଦ୍ର’ ନାମରେ ଏକ ଅନୁଷ୍ଠାନ ଖୋଲିଥିବାବେଳେ ଏଠାରେ ଶ୍ରୀ ସିଂହ ବସିବେ। ଏଥିପାଇଁ ନିର୍ଦେଶକ ଶ୍ରୀ ଦାସଙ୍କ ଉଦ୍ୟମରେ ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ଯୋଗାଇ ଦିଆଯାଇଛି। ଶ୍ରୀ ସିଂହ ଏକାଡେମୀ ଦାୟିତ୍ବ ନେବା ପରଠାରୁ ଏକାଡେମୀର କାର୍ଯ୍ୟକଳାପ ଏକ ଗୋଷ୍ଠୀ ଭିତରେ ସୀମିତ ରହିଛି।

ନିକଟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରକୁ ନେଇ ବିବାଦକୁ ଆସିଛନ୍ତି ଶ୍ରୀ ଦାସ। ତାଙ୍କ ଲିଖିତ ଗୀତକୁ ସୁର ଦେଇ ବହୁ ସଂଗୀତ ଆଲବମ ପ୍ରସ୍ତୁତ କରିଥିବା ଜଣେ ନିର୍ଦେଶକଙ୍କୁ ଏଥର ପୁରସ୍କାର ଦେଇ ଋଣ ସୁଝିଛନ୍ତି ଶ୍ରୀ ଦାସ। ସେହିପରି ନିଜର ଜଣେ ନିକଟତମ ବ୍ୟକ୍ତି ଯାହାଙ୍କୁ ସେ ଭାଷା ପ୍ରତିଷ୍ଠାନ କାର୍ଯ୍ୟକାରୀ ପରିଷଦ ଓ ପାଠାଗାର ବହିକିଣା କମିଟିର ସଦସ୍ୟ କରାଇଛନ୍ତି ତାଙ୍କୁ ମଧ୍ୟ ଏଥର ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି। ସୂଚନାଯୋଗ୍ୟ ଶ୍ରୀ ଦାସ ନିଜେ ସଂସ୍କୃତି ନର୍ଦେଶକ ଓ ପୁରସ୍କାର ଚୟନ କମିଟିର ସଦସ୍ୟ ମଧ୍ୟ ଅଛନ୍ତି।

ନିକଟରେ ଶେଷ ହୋଇଥିବା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜନ ବେଳେ ଶ୍ରୀ ଦାସଙ୍କ କୁତ୍ସିତ ଅଭିସନ୍ଧି ସାମନାକୁ ଆସିଥିଲା। ଉଭୟ ସାହିତ୍ୟ ଓ ପ୍ରକାଶନ ସହ ଜଡ଼ିତ ପ୍ରକାଶକମାନଙ୍କୁ କିଭଳି ମେଳାରୁ ଦୂରେଇ ରଖିବେ ଓ ମେଳା ବାବଦରେ ଖର୍ଚ ଅର୍ଥର ସିଂହଭାଗ ତୋଷରପାତ କରିବେ ସେ ନେଇ ଶ୍ରୀ ଦାସ ମୂଳରୁ ଉଦ୍ୟମ ଚଳାଇଥିବୋବେଳ ପ୍ରକାଶକମାନେ ତାଙ୍କ ସର୍ତ ସବୁରେ ଅସହମତ ହେବାରୁ ମେଳା ଏକପ୍ରକାର ବନ୍ଦହେବା ଯାଏଁ କଥା ବଢ଼ିଥିଲା। ଶେଷରେ ସଂସ୍କୃତି ବିଭାଗ ସଚିବଙ୍କ ସଂପୃକ୍ତିରେ ଓ ପୁସ୍ତକମେଳା ଆୟୋଜନ କମିଟିର ଉଦ୍ୟମରେ ମେଳା ଆୟୋଜିତ ହୋଇଥିଲା। ତେବେ ଶ୍ରୀ ଦାସ ଯାହା ଚାହୁଁଥିଲେ ସେହିପରି ଆଧାରରେ ଷ୍ଟଲ ଆବଣ୍ଟନ ହୋଇଥିଲା। (ଶ୍ରୀ ଦାସଙ୍କ ପରାମର୍ଶକୁ ଅଗ୍ରାହ୍ୟ କରିଥିଲେ ମେଳା ହୋଇ ପାରିନଥାନ୍ତା। ଏଣୁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପ୍ରକାଶକମାନେ ତାଙ୍କ କଥାରେ ବାଧ୍ୟ ହୋଇ ରାଜି ହୋଇଥିଲେ।) ଶ୍ରୀ ଦାସ ଯୋଗଦେବା ପରଠାରୁ ଆେଦୌ ମେଳା ହୋଇ ପାରିନଥିଲା। ତେବେ ନହୋଇଥିବା ମେଳା ପାଇଁ ବ୍ୟାପକ ବ୍ୟୟବରାଦ ସହ ଏଥର ମେଳାରେ ମଧ୍ୟ ଆବଶ୍ୟକ ଖର୍ଚର ତିନିଗୁଣା ଖର୍ଚ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ତଦନ୍ତ ହେବା ଆବଶ୍ୟକ ବୋଲି ‘ଉତ୍କଳ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ’ ପୂର୍ବରୁ ବାରମ୍ବାର ଦାବି କରିଆସିଛି।

ଶ୍ରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରକାଶ ପାଉଥିବା ‘ଶିଶୁଲେଖା’ ପତ୍ରିକା ମୁଦ୍ରଣ ଓ ବଣ୍ଟନ ଆଳରେ କୋଟିକୋଟି ଟଙ୍କା ହଡ଼ପ ହୋଇଥିବା ନେଇ ତଥ୍ୟ ଓ ପ୍ରମାଣ ‘ଓଡ଼ିଶା ଲିଙ୍କ୍’ ହାତରେ ଲାଗିଛି। ଏ ବାବଦରେ ଆଉ କିଛି ତଥ୍ୟ ବିଭାଗକୁ ମଗାଯାଇଛି। ସେ ତଥ୍ୟ ଆସିବା ପରେ ସାହିତ୍ୟ ଆଳରେ ସଂସ୍କୃତି ନିର୍ଦେଶାଳୟର ଏକ ବୃହତ୍‌ ଦୁର୍ନୀତିର ପର୍ଦାଫାଶ ହୋଇପାରିବ। ଅନୁରୂପ ଭାବେ ପୁସ୍ତକମେଳା ଆୟୋଜନରେ ଆବଶ୍ୟକ ଖର୍ଚର ତିନିଗୁଣା ଖର୍ଚ ଦେଖାଯାଇଛି, ଯାହା ତଦନ୍ତ ସାପେକ୍ଷ।

ସାହିତ୍ୟ ଏକାଡେମୀ ପୁରସ୍କାର, ସଚିବ ହେବାର ସମ୍ଭାବ୍ୟ ସୁଯୋଗ ଓ ଭବିଷ୍ୟତର ରାଜନୈତିକ ଉତ୍ତରଣ ପାଇଁ ଶ୍ରୀ ଦାସଙ୍କୁ ଓଡ଼ିଶା ଲିଙ୍କ୍‌ ପକ୍ଷରୁ ଆଗୁଆ ଶୁଭେଚ୍ଛା। ତେବେ ଏସବୁ (୧) ଅନ୍ୟ ଯୋଗ୍ୟ ଲୋକଙ୍କୁ ବଳି ଚଢ଼ାଇ, (୨) ବଚସ୍କରଙ୍କୁ ହାତବାରିଶ କରି ବା (୩) ବ୍ୟାପକ ଦୁର୍ନୀତି ଲବ୍ଧ ଅର୍ଥ ଏକାଠି କରି କରାନଯାଉ।

1 Comment
  1. Bideshi Nayak, Ex Member,OSA says

    ସତ୍ୟ ହୋଇଥିଲେ ସାଙ୍ଘାତିକ। ସାହିତ୍ୟ ସଂସ୍କୃତି ନେଇ ଏଭଳି ଖେଳ ହୁଏ ତ ସାମୟିକ ଖୁସି ଦେଇପାରେ। କିନ୍ତୁ ଭବିଷ୍ୟତ ଏହାର ସଂପୂର୍ଣ୍ଣ ଅନ୍ଧାର। ଦୁଃଖଦ ଓ ଚିନ୍ତାଜନକ।

Leave A Reply

Your email address will not be published.