ଆଜି ଆସୁଛନ୍ତି ଜେପି ନଡ୍ଡା, ବିଜେପି କ୍ୟାମ୍ପ ଚଳଚଞ୍ଚଳ

ଓଏଲ୍ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦଳର ନେତା ଓ କର୍ମୀଙ୍କୁ ମନ୍ତ୍ର ଦେବେ ଶ୍ରୀ ନଡ୍ଡା। ୨୦୧୯ ତୁଳନାରେ ୨୪ ନିର୍ବାଚନରେ ଓଡ଼ିଶାରେ ଭୋଟ୍ ହାର ୫୦ ପ୍ରତିଶତକୁ ବୃଦ୍ଧି ସହ ଅଧିକ ଲୋକସଭା ଓ ବିଧାନସଭା ସିଟ୍ ଜିତିବା ଲକ୍ଷ୍ୟରେ ରହିଛି ବିଜେପି। ଏହାକୁ ନଜରରେ ରଖି କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି।
ଦିନିକିଆ ଓଡ଼ିଶା ଗସ୍ତରେ ଆସୁଥିବା ଶ୍ରୀ ନଡ୍ଡା କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତୁମୁଡ଼ିବନ୍ଧ ଓ ପୁରୀ ସଂସଦୀୟ କ୍ଷେତ୍ରର ବାଣପୁରରେ ସାଧାରଣ ସଭାରେ ଯୋଗ ଦେବେ। ମିଳିଥିବା ସୂଚନା ମୁତାବିକ, ଭୁବନେଶ୍ୱରରେ ଜେ.ପି. ନଡ୍ଡା ପହଞ୍ଚିବା ପରେ ସିଧାସଳଖ କନ୍ଧମାଳ ଲୋକସଭା ଓ ବାଲିଗୁଡା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ତୁମୁଡିବନ୍ଧ ଗସ୍ତ କରିବେ। ସେଠାରେ ପୂର୍ବାହ୍ନ ୧୧.୩୦ ସମୟରେ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବା ପରେ ଜଳେଶପଟା ଆଶ୍ରମ଼ସ୍ଥିତ ନୂତନ କନ୍ୟାଶ୍ରମର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଏହା ପରେ ସେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା ଅନ୍ତର୍ଗତ ବାଣପୁର ପଲଟନ୍ ପଡ଼ିଆରେ ଅପରାହ୍ନ ୩ଟାରେ ସାଧାରଣ ସଭାରେ ଯୋଗ ଦେବେ। ପରେ ସେ ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିର ଯାଇ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ପରେ ନାଚୁଣୀସ୍ଥିତ କଲେଜରେ ଇନଡୋର ଷ୍ଟାଡିୟମରେ କାର୍ଯ୍ୟକତ୍ତା ସମ୍ମିଳନୀରେ ଯୋଗ ଦେବେ। ଏହା ପରେ ନଡ୍ଡା ସଡକ ପଥରେ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।