ବଡ଼ଦେଉଳରେ ଠେଲାପଲା, ୨ ଆହତ

ଓଏଲ୍ ବ୍ୟୁରୋ: ସିଂହନାଥ ପୀଠରେ ଦଳାଚକଟା ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁରୀ ଶ୍ରୀମନ୍ଦିରରେ ପୁନାରାବୃତ୍ତି। ରବିବାର ବଡ଼ଦେଉଳରେ ଠେଲାପେଲା ଯୋଗୁ ୨ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଛି।
ସୂଚନାଯୋଗ୍ୟ, ଆହତ ଦୁଇ ଶ୍ରଦ୍ଧାଳୁ ହେଲେ କଟକର ଦିବ୍ୟା ସାହୁ (୧୬) ଓ ପୁରୀ ହାଡ଼ଗଡ଼ିଆ ସାହିର ସୁଲୋଚନା ସାହୁ (୬୫)। ଦିବ୍ୟା ତାଙ୍କ ଘରକୁ ଫେରି ଯାଇଥିବା ବେଳେ ସୁଲୋଚନାଙ୍କର ଚିକିତ୍ସା ଚାଲିଛି। ସେ ଅଣନିଃଶ୍ୱାସୀ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି।
ମନ୍ଦିରର ଦ୍ବାରା ଫିଟିବା ମାତ୍ରେ ଭକ୍ତମାନେ ଦୌଡ଼ାଦୌଡ଼ି କରି ସିଂହଦ୍ୱାର ଦେଇ ବାଇଶି ପାହାଚରେ ଯାଇ ମନ୍ଦିରରେ ପ୍ରବେଶ କରିଥିଲେ। ଏହି ଦୌଡ଼ାଦୌଡ଼ି ସମୟରେ ପଡ଼ିଯାଇ ଦିବ୍ୟ ସାହୁ ଆହତ ହୋଇଥିଲେ। ସେହିପରି ମହାପ୍ରଭୁଙ୍କ ମଙ୍ଗଳା ଆଳତି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବାହାରକାଠ ନିକଟରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ପ୍ରବଳ ଭିଡ଼ ଯୋଗୁ ଠେଲାପେଲାରେ ସୁଲୋଚନା ସାହୁ ତଳେ ପଡ଼ି ଯାଇ ଅଣନିଃଶ୍ୱାସୀ ହୋଇଯାଇଥିଲେ। ତାଙ୍କ ଉପରେ କିଛି ଲୋକ ଚଢ଼ି ମଧ୍ୟ ଯାଇଥିଲେ।
ସୂଚନାଯୋଗ୍ୟ, ଗତକାଲି କଟକ ଜିଲ୍ଲା ବଡ଼ମ୍ବା ସିଂହନାଥ ପୀଠରେ ମକର ମେଳା ଅବସରରେ ଟି-ବ୍ରିଜ୍ରେ ଦଳାଚକଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି।