Odisha Link
Bridging the Missing Links in Odisha

ହଜିଗଲା ୮୮ଟି ପୋଖରୀ, ଖୋଜି ପାଉନି ପ୍ରଶାସନ

ଓଏଲ୍‌ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ମନରେଗା ଦୁର୍ନୀତି ସବୁ ସୀମା ସରହଦକୁ ପାର କରିଥିବା ବେଳେ ଭାପୁର ବ୍ଳକ ପଦ୍ମାବତୀ ଗ୍ରାମ ପଞ୍ଚାୟତରେ ୨୦୧୭-୨୨ ଅର୍ଥାତ ୫ ବର୍ଷ ମଧ୍ୟରେ ୯୮ଟି ମୋ ପୋଖରୀ ଖୋଳା ଦୁର୍ନୀତି ପ୍ରସଙ୍ଗ ଏବେ ସବୁଠି ଚର୍ଚ୍ଚାରେ। ଯାହାକୁ ନେଇ ସ୍ଥାନୀୟ ଲୋକେ ଅନିୟମିତତା ତଥା ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ପୁରା ଜିଲ୍ଲାରେ ଆଶ୍ଚର୍ଯ୍ୟ କରିଦେବା ଭଳି ଦୁର୍ନୀତି ସାମ୍ନାକୁ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏ ନେଇ ହାଇକୋର୍ଟରେ ମାମଲା ରୁଜୁ ହେବା ପରେ ଭାପୁର ବିଜେଡି ସଭାପତିଙ୍କ ସମେତ ମୋଟ ୬ଜଣଙ୍କ ନାମରେ ମାମଲା ରୁଜୁ ପାଇଁ ଗତ ୩୦ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ ପଦ୍ମାବତୀ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ସାହୁ ଓ ତାଙ୍କ ସ୍ଵାମୀ ଶ୍ରୀକାନ୍ତ ସାହୁ, ସମିତିସଭ୍ୟ ସୁବାସ ଚନ୍ଦ୍ର ବାରିକ, ଜିଆରଏସ ଶ୍ରୀଧର ନାୟକ ଏବଂ ଦସ୍ତଖତ ଜାଲିଆତି କରି ଚର୍ଚାରେ ଥିବା ଯୋଗେନ୍ଦ୍ର ସ୍ଵାଇଁ ଲୋକଙ୍କ ନାମରେ ପ୍ରକଳ୍ପ ପାଇଁ ଆବେଦନ କରିବା ସହିତ ଉକ୍ତ ପ୍ରକଳ୍ପ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଥିଲେ। ଆଉ ସେତେବେଳେର ବ୍ଲକ ଉପାଧ୍ୟକ୍ଷ ଥିବା ତଥା ବର୍ତ୍ତମାନ ଭାପୁର ବ୍ଲକ ବିଜେଡି ସଭାପତି ଗୟାଧର ପରିଡାଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ପ୍ରଶାସନ ଏହି ହରିଲୁଟକୁ ସମର୍ଥନ ମଧ୍ୟ କରିଥିଲା।

ଏହି ଦୁର୍ନୀତି ପ୍ରସଙ୍ଗରେ ପଦ୍ମାବତୀ ଗ୍ରାମ୍ୟ କମିଟି ସଭାପତି ତଥା ପୂର୍ବତନ ସରପଞ୍ଚ ରବିନ୍ଦ୍ର ସାହୁ ପ୍ରଥମେ ସ୍ବର ଉତ୍ତୋଳନ କରିବା ସହିତ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି କରିବା ସହିତ ନୟାଗଡ଼ ଭିଜିଲାନ୍ସ ଡିଏସପିଙ୍କୁ ତଦନ୍ତ କରିବା ସହିତ ଏହାର ରିପୋର୍ଟ ଭୁବନେଶ୍ଵର ଭିଜିଲାନ୍ସ ଏସ୍ପିଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆସନ୍ତା ୧୦ ତାରିଖରେ କୋର୍ଟ ଏହାର ପରବର୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।

ସୂଚନାଥାଉକି, ଭାପୁର ବ୍ଲକ ଅଧୀନ ପଦ୍ମାବତୀ ପଞ୍ଚାୟତରେ ସବୁ ନିୟମକୁ ଦଳି ଚକଟି ୯୮ଟି ମୋ ପୋଖରୀ ଏବଂ ୫୯ଟି ଗଭୀର ସେଚ କୂପକୁ ଫଲ୍ସ ବିଲ କରି ୪ କୋଟି ଟଙ୍କା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଥିଲା। ସୂଚନା ଅଧିକାର ଆଇନର ତଥ୍ୟ ଅନୁଯାୟୀ ପଦ୍ମାବତୀ ପଞ୍ଚାୟତ ଅଧୀନ ତଳମାରଡା, ଝଗଡପଡା ଏବଂ ପଦ୍ମାବତୀ ଗ୍ରାମରେ ୨୦୧୭ ରୁ ୨୦୨୨ ମଧ୍ୟରେ ୯୮ଟି ମୋ ପୋଖରୀ ଏବଂ ୫୯ଟି ଗଭୀର ସେଚ କୂପ ପ୍ରକଳ୍ପ ନିର୍ମାଣ ହୋଇଥିଲା। ହେଲେ ବାସ୍ତବରେ ଏତେ ସଂଖ୍ୟକ ପୋଖରୀ ସେହି ଅଞ୍ଚଳରେ ନାହିଁ।

ବାସ୍ତବରେ ଯେଉଁ ହିତାଧିକାରୀଙ୍କ ନାଁରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି ସେମଧ୍ୟରୁ ଅଧିକାଂଶ ଲୋକଙ୍କ ନିକଟରେ ଜମି ଗୁଣ୍ଠେ ମଧ୍ୟ ନାହିଁ। ତେବେ ପୋଖରୀ କେଉଁଠି ନିର୍ମାଣ ହୋଇଥିଲା ସେ ନେଇ ପ୍ରଶ୍ନ ଉଠିଥିଲା ।ଯାହାକୁ ନଜରରେ ରଖି ପଦ୍ମାବତୀ ଗ୍ରାମ୍ୟ କମିଟି ନୟାଗଡ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲା। ଅଭିଯୋଗ ପରେ ୮୮ ଟି ମୋ ପୋଖରୀ ଏବଂ ୫୦ଟି ଗଭୀର ସେଚ କୂପକୁ ବିଲକୁଲ କାମ ନ କରି ଫଲ୍ସ ରିପୋର୍ଟ ଦେଖାଇଥିଲେ ଉପରୋକ୍ତ ରାଜନେତା। ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭୁଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବାଟ ଖୋଲିଥିବା ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.