Odisha Link
Bridging the Missing Links in Odisha

ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା; ୨ ଏସିଏଫ୍ ଅଟକ

ଏହି ଘଟଣାରେ ତିନିଜଣଙ୍କୁ ତୁରନ୍ତ ଗିରଫ କରାଯିବା ସହ ମୃତକ ଧନେଶ୍ବର ବେହେରାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ

ଓଏଲ୍‌ ବ୍ୟୁରୋ : ବନବିଭାଗର ହେପାଜତରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଖୁଣ୍ଟକଟା ସାତଗୋଛିଆ ଗାଁର ଧନେଶ୍ବର ବେହେରା। ତେବେ ଏହି ମୃତ୍ୟୁ ଘଟଣାରେ ପୁଲିସ ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ଜଣଙ୍କୁ ଉଠାଇନେଇଥିବାର ଖବର ମିଳିଛି। ଏମାନଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ବନ ବିଭାଗ ଜଣଙ୍କୁ ଗତକାଲି ଉଠାଇ ଆଣି ଅଟକ ରଖିଥିଲା। କିନ୍ତୁ ରେଞ୍ଜରଙ୍କ ହେପାଜତରେ ଥିବା ଉକ୍ତ ଅଭିଯୁକ୍ତଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହାପରେ ଆଠଗଡ଼ ଥାନା ପୁଲିସ୍ ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ ଜଣଙ୍କୁ ଉଠାଇନେଇଛି।

ଅନ୍ୟପକ୍ଷେ, ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକ ଧନେଶ୍ବର ବେହେରାଙ୍କ ପରିବାର ଓ ସଂପର୍କୀୟ। ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ବର ବେହେରା ଜଣେ ଦିନ ମଜୁରିଆ। ଗତକାଲି ସେ ପିଠାପଣା ଧରି ନିଜ ଝିଅ ଘରକୁ ଯାଉଥିବା ବେଳେ ଆସି ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରା, ଏସିଏଫ୍ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ଧନେଶ୍ବର ବେହେରାଙ୍କୁ ଉଠାଇନେଇଥିଲେ। ସେମାନେ ପିଟିପିଟି ମାରି ଦେଇଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ଏହି ଘଟଣାରେ ତିନିଜଣଙ୍କୁ ତୁରନ୍ତ ଗିରଫ କରାଯିବା ସହ ମୃତକ ଧନେଶ୍ବର ବେହେରାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ଲାଗି ଦାବି କରିଥିବାବେଳେ, ପ୍ରତିବାଦରେ ସ୍ଥାନୀୟ ଲୋକେ ୬୫ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ଆଠଗଡ଼ ବନଖଣ୍ଡର ୨ ଏସିଏଫ୍ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ବି ଆଠଗଡ଼ ଥାନାରେ ଅଟକ ଅଛନ୍ତି। ଉଭୟଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।

Leave A Reply

Your email address will not be published.