Odisha Link
Bridging the Missing Links in Odisha

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମହାମହିମ

୨୦ ପ୍ଲାଟୁନ ଫୋର୍ସ ସହ ୧୦୦ରୁ ଅଧିକ ପୁଲିସ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି

ଓଏଲ୍‌ ବ୍ୟୁରୋ : ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଯାଇ ମହାଦେବକୁ ଦର୍ଶନ କରିଛନ୍ତି ମହାମହିମ। ଶ୍ରୀଲିଙ୍ଗରାଜଙ୍କ ଜଳାଭିଷେକ ସହ ପୂଜାର୍ଚ୍ଚନା ସାରି କଟକ ଗସ୍ତ କରିଛନ୍ତି ରାଷ୍ଟ୍ରପତି। ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ୱିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାରକେଡ ରିହର୍ସଲ ସହ ପୁଲିସ ବ୍ରିଫିଙ୍ଗ ଶେଷ ହୋଇଛି। ୨୦ ପ୍ଲାଟୁନ ଫୋର୍ସ ସହ ୧୦୦ରୁ ଅଧିକ ପୁଲିସ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ବ୍ଲୁ ବୁକ ଅନୁଯାୟୀ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୂଚନା ଅନୁସାରେ, ଗତକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ବିମାନବନ୍ଦରରେ ପହଁଞ୍ଚିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ରାଜଭବନରେ ପହଂଚି ଭୋଜନ କରିଥିଲେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କୁ ପାଇବା ପରେ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବ୍ଲୁ ବୁକ୍ ଏସଓପି ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ ଫୋର୍ସ ମୁତୟନ ଥିବାବେଳେ ରାଷ୍ଟ୍ରପତିଙ୍କ କାରକେଡ୍‌ ଦାୟିତ୍ବରେ ଏସପି ରାଙ୍କ ଅଧିକାରୀ ରହିଛନ୍ତି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୫ ଜଣ ଏସିପି ରାଙ୍କ ଅଧିକାରୀ, ୪୭ ଇନ୍ସପେକ୍ଟର ମୁତୟନ ରହିଛନ୍ତି। ୧୮୮ ଏସଆଇ ଓ ଏଏସଆଇଙ୍କ ସହ ୫୦ ହୋମଗାର୍ଡ ସୁରକ୍ଷା ଦାଇତ୍ୱ ବହନ କରୁଛନ୍ତି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.