Odisha Link
Bridging the Missing Links in Odisha

ବାମରା ଷ୍ଟେସନରେ ଉତ୍ତେଜନା

ପ୍ରତିଶ୍ରୁତି ସତ୍ତ୍ୱେ ବାମରା ଷ୍ଟେସନରେ ଆଜି କୌଣସି ଏକ୍ସପ୍ରେସ୍‌ ନ ରହିବାରୁ ଉତ୍ତେଜନା।

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ବାମରା ଷ୍ଟେସନରେ ଉତ୍ତେଜନା ଦେଖିବାକୁ ମିଳିଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କାଉଣ୍ଟର ଓ ସିଗ୍ନାଲ ରୁମ୍‌ରେ ତାଲା ପକାଯାଇଛି। ପ୍ରତିଶ୍ରୁତି ସତ୍ତ୍ୱେ ବାମରା ଷ୍ଟେସନରେ ଆଜି କୌଣସି ଏକ୍ସପ୍ରେସ୍‌ ନ ରହିବାରୁ ଉତ୍ତେଜନା। ବାମରା ଷ୍ଟେସନରେ ପୂର୍ବରୁ ରହୁଥିବା ସବୁ ଟ୍ରେନ୍‌ ରହିବାକୁ ନିର୍ଦ୍ଦେଶ ମିଳିଥିଲା। ନିର୍ଦ୍ଦେଶନାମା ଜାରି କରିଥିଲେ ଚକ୍ରଧରପୁର ରେଲୱେ ଡିଆରଏମ। ବାମରା ଷ୍ଟେସନ ମ୍ୟାନେଜରଙ୍କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଅନୁସାରେ, ଗତକାଲି ସକାଳ ୬ଟାରୁ ସମ୍ବଲପୁର ବାମରା ଷ୍ଟେସନରେ ରେଳରୋକ୍ କରାଯାଇଥିଲା। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନକୁ ଓହ୍ଲାଇଥିଲେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ରେଳ ଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳା ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀମାନେ ବାମରା ଷ୍ଟେସନରେ ରେଳରୋକ କରିବା ସହ ବାମରା ବନ୍ଦ ପାଳନ କରୁଥିଲେ।

କରୋନା ସମୟରେ ରେଳ ସେବା ବନ୍ଦ ଥିଲା। କରୋନା କଟକଣା ସ୍ୱାଭାବିକ ପରେ ବାମରା ଠାରେ ମାତ୍ର ୩ଟି ଟ୍ରେନ୍ ରହୁଛି। ପୂର୍ବରୁ ଏଠାରେ ରହୁଥିବା ୧୨ଟି ଟ୍ରେନର ରହଣୀକୁ ହଟାଇ ଦିଆଯାଇଥିଲା। ଏ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ନଶୁଣିବାରୁ ଏହାର ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା। ସମସ୍ତ ଟ୍ରେନ୍‌ ରହଣି ପାଇଁ ଦାବି କରି ଆନ୍ଦୋଳନ କରୁଥିଲେ।

ରହଣି ବାତିଲ୍ ହୋଇଥିବା ୬ଟି ଟ୍ରେନର ପୁନଃରହଣି, ୪ ଗୋଟି ପୁରୁଣା ଟ୍ରେନ ଓ ୨ ଗୋଟି ନୂତନ ଟ୍ରେନର ରହଣୀ ଦାବି କରାଯାଇଥିଲା। ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଶାସନ ହେଲେ ଆଜି ରେଳ ନ ରହିବାରୁ ଉତ୍ତେଜିତ ହୋଇଥିଲେ ସେଠାକାର ଲୋକେ।

Leave A Reply

Your email address will not be published.