Odisha Link
Bridging the Missing Links in Odisha

ରାଜ୍ୟ ବଜେଟ୍ : ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୨୦ କୋଟି

ମୋ କଲେଜ’ ପାଇଁ ୧୭୦ କୋଟି ବ୍ୟୟ ଅଟକଳ ହୋଇଥିବାବେଳେ ମେଧାବୀଙ୍କୁ ଲାପଟପ ବଣ୍ଟନ ପାଇଁ ୫୦ କୋଟି ବ୍ୟୟବରାଦ ହୋଇଛି।

ଓଏଲ୍‌ ବ୍ୟୁରୋ : ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବଜେଟ ଅଧିବେଶନ ଆୟୋଜିତ ହେଉଛି। ଚଳିତ ବର୍ଷ ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି। ଯେଉଁଥିରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦ ହଜାର ୩୦ କୋଟି ବ୍ୟୟ ବରାଦ ହୋଇଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ବଜେଟରେ ୨୦ କୋଟି ବ୍ୟୟ ଅଟକଳ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ମୋ କଲେଜ’ ପାଇଁ ୧୭୦ କୋଟି ବ୍ୟୟ ଅଟକଳ ହୋଇଥିବାବେଳେ ମେଧାବୀଙ୍କୁ ଲାପଟପ ବଣ୍ଟନ ପାଇଁ ୫୦ କୋଟି ବ୍ୟୟବରାଦ ହୋଇଛି।

ବଜେଟରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ କୋଚିଂ ପାଇଁ ବ୍ୟବସ୍ଥା ରହିଛି। ୨ ଶହ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସିଭିଲ ସର୍ଭିସ କୋଚିଂ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପ୍ରବେଶିକା ପରୀକ୍ଷା ଜରିଆରେ ଚୟନ ହେବେ ଶିକ୍ଷାର୍ଥୀ। ମାଗଣା କୋଚିଂ ସହ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା ରହିଥିବା ବଜେଟ ଅନ୍ତର୍ଭୁକ୍ତ କରାଯାଇଛି।

କୃଷି ବଜେଟ ପାଇଁ ଅଟକଳ ମୂଲ୍ୟ ରହିଛି ୨୪ ହଜାର ୮୨୯ କୋଟି ଟଙ୍କା। ସରକାର କାଳିଆ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ୧ ହଜାର ୮ ଶହ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଶିକ୍ଷା ଓ ଭିତ୍ତିଭୁମି ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଚାଷୀଙ୍କ ଆୟ ବୃଦ୍ଧି ସାଙ୍ଗକୁ ଉଦ୍ୟାନ କୃଷି ମଧ୍ୟ କୃଷକଙ୍କୁ ସଶକ୍ତ କରିଛି। ଉଦ୍ୟାନ କୃଷି ନିମନ୍ତେ ୩୮୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା ମାଧ୍ୟମରେ କହିଛନ୍ତି।

ଗମନାଗମନ ସଶକ୍ତିକରଣ ପାଇଁ ନୂଆ ଯୋଜନା କରାଯାଇଛି। ମିଶନ ଶକ୍ତି ସ୍କୁଟର ଯୋଜନାରେ ଇମ୍ୟୁନିଟି ସପୋର୍ଟ ଷ୍ଟାପ ଓ ଇସି ସଦସ୍ୟଙ୍କୁ ମିଳିବ ସ୍କୁଟର। ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ନିଆଯାଇଥିବା ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଉଛି। ସ୍କୁଟର ଯୋଜନା ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି ବ୍ୟୟ ଅଟକଳ ହୋଇଛି। ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ବ୍ୟୟ ବରାଦ ହୋଇଛି।

ଜଳସେଚନ ପ୍ରକଳ୍ପ ଗୁଡ଼ିକର ଆଧୁନିକୀକରଣ ପାଇଁ ନବକୃଷ୍ଣ ଚୌଧୁରୀ ଜଳସେଚନ ଉନ୍ନୟନ ଯୋଜନାରେ ୧ ଶହ ୨୫ କୋଟି ଟଙ୍କାର ବ୍ୟୟବରାଦ ରହିଛି। ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ବ୍ୟୟବରାଦ କରାଯାଇଛି। ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ବଜେଟରେ ୯୬୧ କୋଟି ବ୍ୟୟ ଅଟକଳ ହୋଇଛି । ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି ବ୍ୟୟ ବରାଦ ହୋଇଥିବାବେଳେ ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି ବ୍ୟୟ ଅଟକଳ ହୋଇଛି। ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି ବ୍ୟୟ ବରାଦ ହୋଇଥିବା ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା ମାଧ୍ୟମରେ କହିଛନ୍ତି।

Leave A Reply

Your email address will not be published.