Odisha Link
Bridging the Missing Links in Odisha

ନବ ଦାସ ହତ୍ୟା ପଛରେ ଦୁଇ ଅଣଓଡ଼ିଆ: ବିଜୟ ମହାପାତ୍ର

ନବ ଦାସ ହତ୍ୟାକାଣ୍ଡ ମାମଲାର କୌଣସି ସୁରାକ କ୍ରାଇମବ୍ରାଞ୍ଚ ପାଖରେ ନାହିଁ। ହତ୍ୟା ଓ କେସକୁ ଚପେଇବା ପାଇଁ ଷଡଯନ୍ତ୍ର କରାଯାଇଛି।

ଓଏଲ୍‌ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୪୦ ଦିନ ପୁରି ସାରିଛି। ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇ ଜେଲରେ ଦିନ କାଟୁଛି। ହେଲେ ଏପର୍ଯ୍ୟନ୍ତ ନବ ଦାସଙ୍କ ହତ୍ୟା ପଛର କାରଣ କ’ଣ ତାହା ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ପତ୍ତା ପାଇପାରୁ ନାହିଁ। ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଆଗକୁ ବଢ଼ୁନଥିବା ବେଳେ ଆଜି ଭେଟେରାନ୍‌ ରାଜନେତା ବିଜୟ ମହାପାତ୍ର ରାଜ୍ୟ ସରକାର ଓ କ୍ରାଇମବ୍ରାଞ୍ଚ ଉପରେ ବର୍ଷିଛନ୍ତି। ଏଥିସହିତ ଅଣଓଡ଼ିଆ ଅଫିସରଙ୍କ କଥା କହିଛନ୍ତି ବିଜୟ।

ଗଣମାଧ୍ୟମକୁ ବିଜୟ ମହାପାତ୍ର କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ମାମଲାର କୌଣସି ସୁରାକ କ୍ରାଇମବ୍ରାଞ୍ଚ ପାଖରେ ନାହିଁ। ହତ୍ୟା ଓ କେସକୁ ଚପେଇବା ପାଇଁ ଷଡଯନ୍ତ୍ର କରାଯାଇଛି। ତଦନ୍ତର ପରିସୀମା ଗୋପାଳ ପାଖରେ ସୀମିତ ନ ରହୁ। ଆମ ରାଜ୍ୟରେ ଦକ୍ଷ ପୁଲିସ ଅଫିସର ଅଛନ୍ତି କିନ୍ତୁ କାହାରି ସାହାଯ୍ୟ ନ ନେଇ ଏକ ଚାଟିଆ ଭାବରେ ତଦନ୍ତ କରାଯାଉଛି। କାହାକୁ ସୁରକ୍ଷା ଦେବାକୁ ସରକାର ଚାହୁଁଛନ୍ତି ସନ୍ଦେହ ହେଉଛି ବୋଲି ବିଜୟ କହିଛନ୍ତି।

ସେ ଆହୁରି କହିଛନ୍ତିି, ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ନାୟକ ହେଉଛନ୍ତି ୨ ଅଣ ଓଡ଼ିଆ ଅଫିସର। ସେମାନଙ୍କ ମଧ୍ୟରୁ ଜଣେ ଆଇଏଏସ୍‌ ଓ ଜଣେ ଆଇପିଏସ୍‌ ଅଫିସର। ସେମାନେ ଏହି ଘଟଣାର ପ୍ରକୃତ ତଦନ୍ତ ଚାହୁଁ ନାହାନ୍ତି। ପରଦା ପଛରେ ଓ ବାହାରେ ସେମାନେ ହିଁ ଘଟଣାକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଏହା ଓଡ଼ିଶାରେ ଏକ ଭୟଙ୍କର ଅଧ୍ୟାୟ ସୃଷ୍ଟି କରିବ।

ଲୋକଙ୍କ ମନରୁ କେବେ ବି ନବ ଦାସ ହତ୍ୟାକାଣ୍ଡର ନିଆଁ ଲିଭିବ ନାହିଁ । ତେଣୁ ବଢୁଥିବା ସନ୍ଦେହକୁ ଦୂର କରନ୍ତୁ ସରକାର ବୋଲି ବିଜୟ ମହାପାତ୍ର କହିଛନ୍ତି। ଆହୁରି କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ମାମଲା ଏଫବିଆଇକୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ। ହେଲେ ଏଫବିଆଇ ଗଲା କୁଆଡ଼େ ଆଉ ତଦନ୍ତ କ’ଣ ହେଉଛି ତାହା ଏଯାଏଁ ଜଣାପଡ଼ୁନି। ବଡ଼କଥା ହେଲା ସବୁ ଦିଗରୁ ତଦନ୍ତ ହେଉନି। କେବଳ ଗୋପାଳର ଚିକିତ୍ସା, ନାର୍କୋ ଟେଷ୍ଟ, ପଲିଗ୍ରାଫ ଟେଷ୍ଟରେ କେସ୍‌କୁ ସୀମିତ କରାଯାଉଛି। ଗୋପାଳକୁ ପାଗଳ ଆଖ୍ୟା ଦେବାକୁ କ୍ରାଇମବ୍ରାଞ୍ଚ ତଥା ରାଜ୍ୟ ସରକାର ଖୁବ୍‌ ବ୍ୟଗ୍ର । ହେଲେ ସେ କେଉଁଠି ମାନସିକ ରୋଗର ଚିକିତ୍ସା ହେଉଥିବା ନଜର ନାହିଁ। ମେଡିକାଲ ବୋର୍ଡ ରିପୋର୍ଟରେ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ କୋର୍ଟ ବି ସେଥିରେ ମୋହର ମାରିଛନ୍ତି।

ଶେଷରେ ବିଜୟ ମହାପାତ୍ର କହିଛନ୍ତି, ପୁଲିସ, ସରକାର ଓ ଶାସନ କଳ ସମସ୍ତେ ଏହି ଘଟଣାରେ ଉତ୍ତରଦାୟୀ। ଦୀପାଳି ଦାସଙ୍କ ସହିତ ମୁଁ ଏକମତ। କିନ୍ତୁ ଏହି ଘଟଣାରେ ନେତାମାନେ ବି ତାଙ୍କ ମତ ରଖି ପାରିବେ। ନବ ଦାସଙ୍କ ପରିବାର ଉଦ୍ଦେଶ୍ୟରେ ମୋର ଏହି ପ୍ରେସମିଟ ନୁହେଁ। ପ୍ରେସମିଟ ସରକାରଙ୍କ ତଦନ୍ତକୁ ନେଇ। କାରଣ ନବ ଦାସ ଓଡିଶାର ଜଣେ ମନ୍ତ୍ରୀ ଥିଲେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.