Odisha Link
Bridging the Missing Links in Odisha

ପୁରୀ ଲକ୍ଷ୍ମୀ ମାର୍କେଟ ଅଣାୟତ୍ତ ନିଆଁ ଭିତରୁ ମିଳିଲା ସୁନା ଅଳଙ୍କାର

ନିଆଁ ଲାଗିଥିବା ହୋଟେଲରୁ ମିଳିଛି ସୁନା ଅଳଙ୍କାର ଓ ଟଙ୍କା।

ଓଏଲ୍‌ ବ୍ୟୁରୋ : ପୁରୀ ମରିଚିକୋଟ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୁଧବାର ରାତିରୁ ଜଳୁଛି ପୁରୀ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ। ଏତେ ସମୟ ହେବ ଲାଗିଥିବା ନିଆଁକୁ ଏଯାଏଁ ଆୟତ୍ତ କରାଯାଇପାରି ନାହିଁ। ତେବେ ପୁରୀ ଲକ୍ଷ୍ମୀ ମାର୍କେଟରେ ଲାଗିଥିବା ଅଣାୟତ୍ତ ନିଆଁ ଭିତରୁ ସୁନା ଅଳଙ୍କାର ଉଦ୍ଧାର କରାଯାଇଛି। ପାଖାପାଖି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ସହ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି। ନିଆଁ ଲାଗିଥିବା ହୋଟେଲରୁ ମିଳିଛି ସୁନା ଅଳଙ୍କାର ଓ ଟଙ୍କା। ତେବେ ବ୍ରତଘର ପାଇଁ ବ୍ରହ୍ମପୁରରୁ ଆସି ହୋଟେଲରେ ରହିଥିଲେ ଏକ ପରିବାର। ରାତିରେ ନିଆଁ ଲାଗିବାରୁ ହୋଟେଲରେ ସବୁ ଛାଡ଼ି ବାହାରି ପଳାଇଥିଲେ ବ୍ରତଘର ପାଇଁ ବ୍ରହ୍ମପୁରରୁ ଆସିଥିବା ପରିବାର ଲୋକେ।

ସୂଚନା ଅନୁସାରେ, ପୁରୀ ବଡଦାଣ୍ଡ ପାର୍ଶ୍ବରେ ରହିଛି ଲକ୍ଷ୍ମୀ ବଜାର। ଏହି ବଜାରରେ ରହିଛି ମାର୍କେଟ କମ୍ପ୍ଲେକ୍ସ। କୌଣସି କାରଣରୁ ଏହି ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗି ଯାଇଥିଲା। ତଳ ମହଲାରେ ଥିବା ଏକ ଡ୍ରେସ ଦୋକାନରୁ ନିଆଁ ଲାଗିଥିବା ଅଗ୍ନିଶମ କର୍ମଚାରୀମାନେ ଆଶଙ୍କା କରୁଛନ୍ତି। ଚାହୁଁ ଚାହୁଁ ମାର୍କେଟ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲକୁ ନିଆଁ ବ୍ୟାପିଯାଇଥିଲା। ସମ୍ରାଟ ଗେଷ୍ଟ ହାଉସରେ ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ଆସି ରହିଥିଲେ। ନାସିକରୁ ଆସିଥିବା ୧୨୦ ଜଣ ପର୍ଯ୍ୟଟକ ଏଠାରେ ଥିବା ସୂଚନା ମିଳିଥିଲା। ଗତ ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ନିଆଁ ଲିଭିନଥିବା ଜଣାପଡ଼ିଛି।

ରାସ୍ତା ସଂକୀର୍ଣ୍ଣ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ଅସୁବିଧା ସୃଷ୍ଟି ହେଉଛି। ଗତକାଲି ରାତିରୁ ଲାଗିଥିବା ନିଆଁ ଆୟତ୍ତ ହେବା ପରିବର୍ତ୍ତେ ପ୍ରଥମ ମହଲାରୁ ଦ୍ୱିତୀୟ ମହଲାକୁ ବ୍ୟାପିବାରେ ଲାଗିଛି। ଦ୍ୱିତୀୟ ମହଲାରେ ଥିବା ବ୍ୟାଙ୍କ ସହ ଅନ୍ୟାନ୍ୟ ଦୋକାନକୁ ନିଆଁ ବ୍ୟାପିବାର ଲାଗିଛି। ନିଆଁ ସାଙ୍ଗକୁ ପ୍ରବଳ ଧୂଆଁ ଚାରିପାଖେ ଛାଇଯାଇଛି। ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ ନାକେଦମ୍ ହେଲେଣି। ନିଆଁ ଲିଭାଇବା ବେଳେ ୩ଜଣ ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ୧୨ରୁ ଅଧିକ ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଛି। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.