Odisha Link
Bridging the Missing Links in Odisha

ଜୈବିକ ପଦ୍ଧତିରେ ଆଦିବାସୀ କରୁଛନ୍ତି ଫୁଲ କୋବି ଚାଷ, ବଜାରରେ ରହିଛି ଚାହିଦା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାରର ପନିପରିବା ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ସେଥିମଧ୍ୟରେ ଫୁଲ କୋବି ହେଉଛି ଏକ ପ୍ରମୁଖ ଚାଷ। ଆଦିବାସୀ ଚାଷୀମାନେ ଏହାକୁ ଜୈବିକ ପଦ୍ଧତିରେ କରୁଥିବାରୁ ବଜାରରେ ଏହି ଫୁଲ କୋବିର ଭଲ ଚାହିଦା ରହିଛି। ଏହାକୁ ବିକ୍ରି କରି ଚାଷୀମାନେ ବିଶେଷ ଲାଭବାନ ହେଉଛନ୍ତି। ରାଜ୍ୟ ସରକାରଙ୍କ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଅଧୀନରେ ଫୁଲ କୋବି ଚାଷ କରାଯାଉଛି। ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଏଥିପାଇଁ ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।

“ଆଦିବାସୀ ବର୍ଗର ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ‘ମିଶନ ଜୀବିକା’ ଅଧୀନରେ କୃଷି ଓ ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଇ ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି” ବୋଲି କହିଛନ୍ତି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୯ଟି ବ୍ଳକ୍‌ ରହିଛି। ତା’ ଭିତରୁ ୩ଟି ବ୍ଲକ୍‌ – ବାଲିଶଙ୍କରା, ହେମଗିର ଏବଂ କୁତ୍ରା ବ୍ଲକରେ ଫୁଲ କୋବି ଚାଷ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୨୫୦ ଏକର ଜମିରେ ୩୧୫ ଜଣ ଚାଷୀ ଏହି ଚାଷ କରିଛନ୍ତି।ଫୁଲ କୋବି ଅମଳ ହେବା ପରେ ଚାଷୀମାନେ ଏହାକୁ ପାଖ ବଜାରରେ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି।

Leave A Reply

Your email address will not be published.