କରୋନା ଭୟ: ୬ ରାଜ୍ୟକୁ ଚିଠି ଲେଖି ସର୍ତକ କରାଇଲା କେନ୍ଦ୍ର

ଓଏଲ୍ ବ୍ୟୁରୋ: ବର୍ତ୍ତମାନ ଦେଶରେ ଏଚ୩ଏନ୨ ଭୂତାଣୁ କାୟାବିସ୍ତାର କରିବାରେ ଲାଗିଛି। ଅନ୍ୟପଟେ ପୁଣିଥରେ ଦେଶରେ ମହାମାରୀ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଆରମ୍ଭ ହୋଇଛି। ବିଶେଷ ଭାବେ ଦେଶର ୬ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଜି କେନ୍ଦ୍ର ସରକାର ଚିଠି ଲେଖି ତୁରନ୍ତ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ କର୍ଣ୍ଣାଟକା ସରକାରଙ୍କୁ ଚିଠି ଲେଖି ଟେଷ୍ଟିଂ, ଟ୍ରିଟିଂ, ଟ୍ରାକିଂ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କହିଚନ୍ତି।
ଚିଠିରେ କୁହାଯାଇଛି ଯେ, ଗତ କିଛି ମାସ ମଧ୍ୟରେ କୋଭିଡ ମାମଲାରେ ହ୍ରାସ ଘଟିଥିଲା, କିନ୍ତୁ ଗତ ଏକ ସପ୍ତାହ ମଧ୍ୟରେ ହଠାତ୍ ଏହି ମାମଲାରେ ବୃଦ୍ଧି ଘଟିଛି। ତେଣୁ ରାଜ୍ୟ ସରକାରମାନେ କରୋନାକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେବା ଉଚିତ୍। ଏଥିସହ ଟେଷ୍ଟିଂ, ଟ୍ରାକିଂ, ଟିକାକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦୀର୍ଘ ୪ ମାସ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ୭୦୦ ପାର କରିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୬୨୩ରେ ପହଞ୍ଚିଛି। ଶେଷଥର ପାଇଁ ନଭେମ୍ବର ୧୨ରେ ଦେଶରେ ଦୈନିକ ସଂକ୍ରମଣ ୭୩୪ ରେକର୍ଡ ହୋଇଥିଲା। ଏବେ ପୁଣି ସଂକ୍ରମିତଙ୍କ ସଂଖ୍ୟା ୭୦୦ ଡେଇଁଛି।