Odisha Link
Bridging the Missing Links in Odisha

‘ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୋଧ ହୁଏ, ବିରୋଧୀ ଦଳ ନେତାଙ୍କ କଳି ରହିଛି’

ପ୍ରଧାନମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ ପ୍ରଶ୍ନ କରିଛନ୍ତି ବିଧାୟକ।

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଶୂନ୍ୟକାଳରେ ବିରୋଧୀ ଦଳ ନେତା ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ ପରେ ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୋଧ ହୁଏ, ବିରୋଧୀ ଦଳ ନେତାଙ୍କ କଳି ରହିଛି ସେଥିପାଇଁ ତାଙ୍କୁ ହଇରାଣରେ ପକାଇବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ଅଫିସରେ କେତେ ଜଣ ଅବସରପ୍ରାପ୍ତ ଅଧିକାରୀ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ପ୍ରଧାନମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ ପ୍ରଶ୍ନ କରିଛନ୍ତି ବିଧାୟକ। ଗୋଟେ ଆଙ୍ଗୁଳି ଅନ୍ୟକୁ ଦେଖେଇଲେ ଚାରୋଟି ଆଙ୍ଗୁଳି ନିଜ ଆଡକୁ ଆସିବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।

ସେ ଆହୁରି ମଧ୍ୟ କହିଛନ୍ତି, ଖୋଲା ମାର୍କେଟରୁ ଆରଏସଏସ କ୍ୟାଡରରୁ ଉଠାଯାଇ ଜଏଣ୍ଟ ସେକ୍ରେଟେରୀ ରଖାଯାଉଛି। ସମ୍ବିଧାନର କେଉଁଠି ଲେଖା ଯାଇଛି ଅବସରପ୍ରାପ୍ତ ଅଧିକାରୀଙ୍କୁ ରଖା ଯାଇ ପାରିବ ନାହିଁ। ବିଜେପି ଶାସିତ ରାଜ୍ୟରେ କେତେ ଜଣ ଅଛନ୍ତି ହିସାବ କର ବୋଲି କହିଛନ୍ତି ବିଜେଡି ବିଧାୟକ। ବିଧାନସଭାରେ ଯେଉଁ ଯେଉଁ ମାନେ ନାହାନ୍ତି, ସେମାନଙ୍କ ନାଁ ନେବା କଥା ନୁହେଁ। ଏହି ମାନସିକତା ପରିହାର କରନ୍ତୁ ବିରୋଧୀ ବୋଲି ସେ କହିଛନ୍ତି।

ଖବର ଅନୁସାରେ, ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କୁ ନେଇ ଗୃହରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଥିଲେ, ଅସିତ ତ୍ରିପାଠୀ, ବାଲକ୍ରିଷ୍ଣନ, ଉପେନ୍ଦ୍ର ତ୍ରିପାଠୀ, ପି କେ ମହାପାତ୍ର ଓ ଗୋପବନ୍ଧୁ ଦାସ। ଅବସର ପରେ ଏମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ପୁନଃ ନିଯୁକ୍ତି କରାଯାଇଛି। ଏପରିକି ମନୋଜ ମିଶ୍ର ଇସ୍ତଫା ଦେଲା ପରେ ମଧ୍ୟ ତାଙ୍କୁ ବି ସରକାରରେ ନିଯୁକ୍ତି ଦିଆଯାଇଛି ବୋଲି କହିଥିଲେ ବିରୋଧୀ ଦଳ ନେତା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରଙ୍କ କ୍ଳବ ପାଲଟିଛି। ରାଜ୍ୟରେ ନିଯୁକ୍ତି ମିଳୁ ନଥିବା ବେଳେ ଅବସରପ୍ରାପ୍ତ ଅଫିସରଙ୍କୁ ଥଇଥାନ କରାଯାଉଛି। ଏଇଟା କଣ ମୋ ସରକାର, ଏଇଟା କଣ ୫-ଟି, ଏଇଟା କଣ ଏକ ବିଚାର ଧାରା ବୋଲି କହିଥିଲେ ବିରୋଧୀ ଦଳ ନେତା।

Leave A Reply

Your email address will not be published.