Odisha Link
Bridging the Missing Links in Odisha

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା, ସାରା ଦେଶର ରହିଛି ନଜର

ଗଣମାଧ୍ୟମକୁ ମମତା ସୂଚନା ଦେଇ କହିଛନ୍ତି, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ।

ଭୁବନେଶ୍ବର: ଗତକାଲି ଶ୍ରୀମନ୍ଦିର ଯାଇ ମହାବାହୁଙ୍କ ଦର୍ଶନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମନ୍ଦିରର ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଥିଲେ। ଶ୍ରୀଜିଉଙ୍କୁ ତୁଳସୀ ଲାଗି କରିବା ପରେ ମନ୍ଦିର ବେଢା ବୁଲିଥିଲେ ମମତା। ପରେ ବେହରଣ ଦ୍ୱାରରୁ ବାହାରି ମୁକ୍ତି ମଣ୍ଡପରେ ମୁଣ୍ଡିଆ ମାରିଥିଲେ। ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ମମତା ବାନାର୍ଜୀ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଅପରାହ୍ନ ସାଢ଼େ ୪ଟା ସମୟରେ ନବୀନ ନିବାସରେ ଉଭୟଙ୍କ ସୌଜନ୍ୟମୂଳକ ସାକ୍ଷାତକାର ହେବ ବୋଲି ସୂଚନା ରହିଛି।

ଗଣମାଧ୍ୟମକୁ ମମତା ସୂଚନା ଦେଇ କହିଛନ୍ତି, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ। କିନ୍ତୁ ଆସିପାରିନଥିଲି, ହେଲେ ପ୍ରତିଶ୍ରୁତି ଦେଇଥିଲି, ଯେତେବେଳେ ଓଡ଼ିଶା ଆସିବି, ନବୀନଙ୍କୁ ନିଶ୍ଚୟ ଭେଟିବି। ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ମମତା ବାନାର୍ଜୀ କହିଛନ୍ତି।

ଏହି ସାକ୍ଷାତ ଉପରେ ରାଜନୈତିକ ସମୀକ୍ଷକମାନଙ୍କ ନଜର ଅଟକିଛି। କାରଣ ମୋଦି ବିରୋଧୀ ଭାବେ ବେଶ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। କଂଗ୍ରେସକୁ ବାଦ୍ ଦେଇ ମୋଦି ବିରୋଧୀ ମଞ୍ଚ କଥା କହୁଥିବାରୁ ମମତାଙ୍କ ଓଡିଶା ଗସ୍ତର ଗୁରୁତ୍ୱ ବେଶ ବଢିଯାଇଛି । ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେସିଆରଙ୍କ ନେତୃତ୍ୱରେ ତିଆରି ହେଉଥିବା ତୃତୀୟ ସାମୁଖ୍ୟଠାରୁ ମଧ୍ୟ ଦୂରେଇ ରହିଛନ୍ତି।

Leave A Reply

Your email address will not be published.