Odisha Link
Bridging the Missing Links in Odisha

ପୁଣିଥରେ ଆଗୁଆ ବନ୍ଦ ହେଲା ବିଧାନସଭା

ଓଏଲ୍‌ ବ୍ୟୁରୋ: ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ବନ୍ଦ ହେଲା ବିଧାନସଭା ବଜେଟ ଅଧିବେଶନ ।୪ଟି କାର୍ଯ୍ୟଦିବସ ଥାଇ ବିଧାନସଭାର ୨୭ଦିନିଆ ବଜେଟ୍ ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆଜି ଅଚାନକ ପରିବର୍ତ୍ତନ କରିବା ସହ ଚଳିତ ସପ୍ତାହରେ ଗୃହରେ ଉପସ୍ଥାପିତ ହୋଇଥିବା ୩ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ମଧ୍ୟ ସରକାର ଶେଷ ମୁହୂର୍ତ୍ତରେ ଫେରାଇ ନେଇଛନ୍ତି।

ସୂଚନା ଅନୁସାରେ, ବିଧାନସଭା ଅଧିବେଶନ ୨ଟି ପର୍ଯ୍ୟାୟରେ ଫେବ୍ରୁଆରୀ ୨୧ରୁ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ମୋଟ୍ ୨୭ଦିନ ବସିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଚଳିତ ବଜେଟ୍ ଅଧିବେଶନ ଫେବ୍ରୁଆରୀ ୨୧ତାରିଖରୁ ଦୁଇଟି ପର୍ଯ୍ୟାୟରେ ମୋଟ୍ ୨୩ଦିନ ଚାଲି ପାରିଛି ।

ସବୁଠୁ ବଡ଼କଥା ହେଲା ଏପ୍ରିଲ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିବେ। ଏହି ଗସ୍ତକୁ ନଜରରେ ରଖି ବିରୋଧୀ ଦଳଙ୍କ ଦାବିକୁ ଅଣଦେଖା କରି ଶାସକ ବିଜେଡି ଆଜି ତରବରିଆ ଭାବେ ଗୃହକୁ ମୁଲତବୀ କରିବା ନିମନ୍ତେ ପ୍ରସ୍ତାବ ଆଣିଥିଲା, ଯାହାକୁ ବାଚସ୍ପତି ଗ୍ରହଣ କରିଥିଲେ। ଯାହାଫଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ଏହାପୂର୍ବରୁ ଶୀତ ଅଧିବେଶନ ମଧ୍ୟ ଆଗୁଆ ବନ୍ଦ ହୋଇଥିଲା ବିଧାନସଭା। ନିର୍ଦ୍ଧାରିତ ସମୟର ୧୭ ଦିନ ଆଗରୁ ବନ୍ଦ ହେଲା ବିଧାନସଭାର ଅଧିବେଶନ । ମାତ୍ର ୧୩ ଦିନ ପାଇଁ ବିଧାନସଭାର ଶୀତ ଅଧିବେଶନ ଚାଲିପାରିଥିଲା । ବିଧାନସଭା ପ୍ରତିବର୍ଷ ଅତିକମରେ ୬୦ଦିନ ବସିବାର ପ୍ରାବଧାନ ଥିବାବେଳେ ତାହା ଏବେ କିଛି ବର୍ଷ ହେବ ସମ୍ପୂର୍ଣ୍ଣ ୬୦ ଦିନ ବିଧାନସଭା ଚାଲିପାରୁନାହିଁ।

Leave A Reply

Your email address will not be published.