Odisha Link
Bridging the Missing Links in Odisha

‘ଇତର’ ଉପନ୍ୟାସର ଲେଖକ ଶୁଭ୍ରାଂଶୁ ପଣ୍ଡାଙ୍କ ସହ ଭାବବିନିମୟ କଲେ ରାଜ୍ୟର ଟ୍ରାନ୍ସଜେଣ୍ଡର ସମୁଦାୟ

ଉତ୍ସବରେ ଅଧ୍ୟକ୍ଷତା କରି ସମାଜସେବୀ ଚନ୍ଦନ କୁମାର ନାୟକ କହିଥିଲେ ଯେ ଟ୍ରାନ୍ସଜେଣ୍ଡମାନଙ୍କ ସମସ୍ୟା, ସଂଘର୍ଷ ଓ ସଫଳତା ସମ୍ବନ୍ଧରେ ସମାଜକୁ ଅବଗତ କରାଇବା ପାଇଁ ସିନେମା, ସାହିତ୍ୟ ଭଳି ଜନପ୍ରିୟ କଳାକ୍ଷେତ୍ରର ଲୋକେ ଆଗେଇ ଆସିବା ଉଚିତ।

ଭୁବନେଶ୍ବର: ଶୁକ୍ରବାର ଥିଲା ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଅବଗତି ଦିବସ, ତୃତୀୟଲିଙ୍ଗୀ ମଣିଷଙ୍କ ବାବଦରେ ଅଧିକ ଜାଣିବା ଓ ଜଣାଇବାର ଦିନ। ଏ ଅବସରରେ ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ଅଭିନବ ଉତ୍ସବ। ସ୍ଥାନୀୟ ହୋଟେଲ ଶୀତଳ ସଭାକକ୍ଷରେ ଅନୁଷ୍ଠିତ ଏକ ଭାବବିନିମୟ କାର୍ଯ୍ୟକ୍ରମରେ ଉପନ୍ୟାସ ‘ଇତର’ର ଲେଖକ ଶୁଭ୍ରାଂଶୁ ପଣ୍ଡାଙ୍କ ସହ ଭାବବିନିମୟ କରିଥିଲେ ରାଜ୍ୟର ଟ୍ରାନ୍ସଜେଣ୍ଡର ସମୁଦାୟର ପ୍ରମୁଖ ବ୍ୟକ୍ତିତ୍ବ।

ସମାଜ ଆଖିରେ ଏବେ ବି ଇତର ଭାବେ ଉପେକ୍ଷିତ ତୃତୀୟଲିଙ୍ଗୀ ମଣିଷଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ପରିପୁଷ୍ଟ ଶୁଭ୍ରାଂଶୁ ପଣ୍ଡାଙ୍କ ଉପନ୍ୟାସ ‘ଇତର’। ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଅବଗତି ଦିବସ ପାଳନ ଅବସରରେ ଲେଖକ ଶ୍ରୀ ପଣ୍ଡା ଉପନ୍ୟାସ ଲେଖାର ଅନୁଭୂତି ବଖାଣିବା ସହ ବହିର କିଛି ଅଂଶ ପଢ଼ି ଶୁଣାଇଥିଲେ।

ଉତ୍ସବରେ ଅତିଥି ଭାବେ ଯୋଗଦେଇ ଜଣାଶୁଣା ସମାଜସେବୀ ତଥା ସ୍ବେଚ୍ଛାସେବୀ ସଂଗଠନ ‘ସିନି’ର ବରିଷ୍ଠ ଅଧିକାରୀ ମିତାଲି ମହାନ୍ତି ଓଡ଼ିଶାରେ ଟ୍ରାନ୍ସଜେଣ୍ଡର ଆନ୍ଦୋଳନର ଇତିହାସ, ସଫଳତା ଓ ବର୍ତମାନର ସ୍ଥିତି ଉପରେ ଆଲୋକପାତ କରିଥିଲେ। ଟ୍ରାନ୍ସ-ଓମ୍ୟାନ୍‌ଙ୍କ ଭଳି ଟ୍ରାନ୍ସ-ମ୍ୟାନ୍‌ଙ୍କ ବାବଦରେ ସମାଜରେ ଅଧିକ ସଚେତନତା ଲୋଡ଼ା ବୋଲି ସେ ମତ ଦେଇଥିଲେ। ଉତ୍ସବରେ ଅଧ୍ୟକ୍ଷତା କରି ସମାଜସେବୀ ଚନ୍ଦନ କୁମାର ନାୟକ କହିଥିଲେ ଯେ ଟ୍ରାନ୍ସଜେଣ୍ଡମାନଙ୍କ ସମସ୍ୟା, ସଂଘର୍ଷ ଓ ସଫଳତା ସମ୍ବନ୍ଧରେ ସମାଜକୁ ଅବଗତ କରାଇବା ପାଇଁ ସିନେମା, ସାହିତ୍ୟ ଭଳି ଜନପ୍ରିୟ କଳାକ୍ଷେତ୍ରର ଲୋକେ ଆଗେଇ ଆସିବା ଉଚିତ।

ଏ ଅବସରରେ ଓଡ଼ିଶା ଟ୍ରାନ୍ସଜେଣ୍ଡର ସମୁଦାୟର ପ୍ରମୁଖ ବ୍ୟକ୍ତିତ୍ବ ସାଧନା ମିଶ୍ର, ସମୀକ୍ଷା ବେହେରା, ମେଘନା ସାହୁ, ଆୟେଶା ବେହେରା, ସଦଭିଶ, ସୁମନ ମହାକୁଡ଼, ସନ୍ତୋଷ ଜେନା ନିଜ ଜୀବନ ସଂଘର୍ଷ ଠାରୁ ସମାଜରେ ଆତ୍ମସମ୍ମାନର ବଞ୍ଚିବାଯାଏଁ ଯାତ୍ରାର ଅନୁଭୂତି ବଖାଣିଥିଲେ।

Leave A Reply

Your email address will not be published.