ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ, ଗିରଫଦାରୀ ସଂଖ୍ୟା ୮୫କୁ ବୃଦ୍ଧି
ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି।

ଓଏଲ୍ ବ୍ୟୁରୋ: ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲା। ହେଲେ ରବିବାର ସହରରେ ଆଉ ଥରେ ହିଂସାକାଣ୍ଡ ଫେରିବା ଆଜି ପୁଣି ଥରେ ୨୪ ଘଣ୍ଟା ପାଇଁ ଇଣ୍ଟର୍ନେଟ୍ ସେବା ବନ୍ଦ ଘୋଷଣା ହୋଇଛି। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।
ସୂଚନା ଅନୁସାରେ, ଗତ ୪ ଦିନ ହେଲା ସମ୍ବଲପୁର ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଆଉ ୨୪ ଘଣ୍ଟା ଇଣ୍ଟର୍ନେଟ୍ ସେବା ବନ୍ଦ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ହିଂସାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫଦାରୀ ସଂଖ୍ୟା ଜାରି ରହିଛି। ଆଜି ଆଉ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି। ଇଣ୍ଟର୍ନେଟ୍ ସେବା ବନ୍ଦ ଯୋଗୁଁ ଅନେକ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ଜଣା ପଡିଛି।