ଟିକେଟ୍ ନମିଳିବାରୁ କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଭାଜପାକୁ କଲେ କଡ଼ା ଟାର୍ଗେଟ

ଓଏଲ୍ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିରେ ହଟଚମଟ। ଭାରତୀୟ ଜନତା ପାର୍ଟି ଛାଡ଼ି କଂଗ୍ରେସରେ ଯୋଗ ଦେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଡିକେ ଶିବକୁମାର, ରଣଦୀପ ସୁରଜେଓ୍ବାଲାଙ୍କ ସମେତ ଆଉ କିଛି ନେତାଙ୍କ ଉପସ୍ଥିତିରେ ଶଟ୍ଟୋର କଂଗ୍ରେସ ଶିବିରରେ ଯୋଗ ଦେଇଛନ୍ତି। ଶେଟ୍ଟାର ଗତକାଲି ଭାଜପା ଛାଡ଼ି ଥିଲେ। ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ଦଳ ଶେଟ୍ଟାରଙ୍କୁ ଅଣଦେଖା କରି ଟିକେଟ ପ୍ରଦାନ କରି ନ ଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସରେ ଶେଟ୍ଟାରଙ୍କ ଯୋଗଦାନ ପରେ ଭାଜପା ବର୍ତ୍ତମାନ ବ୍ୟାକଫୁଟରେ ପଡ଼ିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
କଂଗ୍ରେସରେ ସାମିଲ ହେବାରେ ପରେ ଶେଟ୍ଟାର କହିଛନ୍ତି, ଗତକାଲି ଭାଜାପରୁ ଇସ୍ତଫା ଦେଇଥିଲି ଆଉ ଆଜି କଂଗ୍ରେସରେ ଯୋଗ ଦେଲି। ଏହି ଖବର ଜାଣିବାରେ କିଛି ଲୋକ କହୁଛନ୍ତି ଯେ ପ୍ରତିପକ୍ଷ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ ଅଧ୍ୟକ୍ଷ ରହିଥିବା ନେତା କିଭଳି କଂଗ୍ରେସରେ ଯୋଗ ଦେଲା। ଭାଜପା ମୋତେ ଯେଉଁ ପଦ ପଦବୀ ଦେେଇଥିଲା ସେହି ପଦର ମର୍ଯ୍ୟାଦା ରଖିବା ସହ ଦଳର ଉନ୍ନତି ପାଇଁ ସର୍ବଦା କାମ କରିଥିଲି।
ସେ ଆହୁରି କହିଛନ୍ତି, ପାର୍ଟିର ଜଣେ ବରିଷ୍ଠ ନେତା ହିସାବରେ ଯେତେବେଳେ ଜାଣିଲି ଯେ, ଦଳ ନିର୍ବାଚନ ଲଢ଼ିବା ପାଇଁ ଏଥର ମୋତେ ଟିକେଟ ଦେଉନାହିଁ। ମୁଁ ଚକିତ ହୋଇଯାଇଥିଲି। କାରଣ ଏନେଇ ମୋତେ କିଛି ବି ସୂଚନା ଦିଆଯାଇନଥିଲା। ଅନ୍ୟପଟେ ଦଳ ମୋତେ ବୁଝେଇବାକୁ ଚେଷ୍ଟା କରିଥିଲା। ଜଣେ ବରିଷ୍ଠ ନେତା ହୋଇ ମଧ୍ୟ ଦଳ ମୋତେ ଅପମାନିତ କରିଛି। ମୁଁ ରାଜ୍ୟରେ ଭାଜପାକୁ ଗଢ଼ି ଥିବା ବେଳେ ଦଳ ମୋତେ ମାନ, ସମ୍ମାନ, ପଦ ଦେଇଥିଲା। ଏହା ପ୍ରତିବଦଳରେ ମୁଁ ବି ପାର୍ଟିକୁ ବହୁତ କିଛି ଦେଇଛି। ମୁଁ ହୁବ୍ଲି-ଧାରବାଡ଼ରୁ ୬ ଥର ନିର୍ବାଚିତ ହୋଇ ସାରିଛି। ଏହାସତ୍ତ୍ୱେ ସେମାନେ ମୋତେ ଅପମାନିତ କଲେ, ଅଣଦେଖା କଲେ । ଏଥିରେ ମୁଁ ବିଚଳିତ । ତେଣୁ ମୁଁ ଏହାକୁ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇ କଂଗ୍ରେସରେ ଯୋଗ ଦେଇଛି ।
କଂଗ୍ରେସରେ ଶେଟ୍ଟାର ସାମିଲ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆମ ଦଳକୁ ସ୍ବାଗତ କରୁଛି। ଶେଟ୍ଟାରଙ୍କ ଉପସ୍ଥିତି ଦଳକୁ ଆହୁରି ମଜବୁତ କରିବ। କର୍ଣ୍ଣାଟକରେ ଯେଉଁ ସ୍ଥିତି ଏବେ ଲାଗି ରହିଛି ତାହା କଂଗ୍ରେସ ସପକ୍ଷରେ ଯାଉଛି ଏବଂ ଜନତାଙ୍କ ମତ ଆମ ସପକ୍ଷରେ ଯିବ ବୋଲି ସେ କହିଛନ୍ତି। ସେହିଭଳି କର୍ଣ୍ଣାଟକ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଡିକେ ଶିବକୁମାର କହିଛନ୍ତି, ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବା ସାଂସଦ ଯିଏ ଆମ ଦଳ ସହିତ ଯୋଡ଼ି ହେବା ପାଇଁ ଇଚ୍ଛୁକ ତାଙ୍କୁ ଆମେ ସ୍ବାଗତ କରୁଛୁ।
ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନଥିବା କହି ଶେଟ୍ଟାରଙ୍କୁ ଦଳର ମୁଖ୍ୟ ଜେପି ନାଡାଙ୍କୁ ଏକ ଚିଠି ଲେଖିବାକୁ କୁହାଯାଇଥିଲା। କିନ୍ତୁ ଶେଟ୍ଟାର ଏଥିରେ ରାଗିଯାଇ ଗଣମାଧ୍ୟମ ସମ୍ମୁଖରେ ଭାଜପାର ମୁଖା ଖୋଲି ଦେଇଥିଲେ। ଏହାକୁ ନେଇ ଦଳ ତରଫରୁ ତାଙ୍କୁ ମନାଇବାକୁ ବହୁ ଚେଷ୍ଟା କରାଯାଇଥିଲେ ବି କିଛି ଲାଭ ମିଳି ନ ଥିଲା। ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଶେଟ୍ଟାର ଭାଜପା ଛାଡ଼ିବା ପରେ ଦଳକୁ କ୍ଷତି ପହଞ୍ଚାଇବ ବୋଲି ଆକଳନ କରାଯାଉଛି।
ସୂଚନାଥାଉକି, ଜଗଦୀଶ ଶେଟ୍ଟାର ଭାଜପାର ରାଜ୍ୟ ସଭାପତି ସହ ବିଧାନସଭାର ବାଚସ୍ପତି ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି। ଏହା ବ୍ୟତୀତ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ମଧ୍ୟ ସମ୍ଭାଳି ସାରିଛନ୍ତି। ଶେଟ୍ଟାର ଲଗାତର ୬ ଥର ହୁବଲି-ଧରୱାଡ କେନ୍ଦ୍ରୀୟ ଆସନରୁ ନିର୍ବାଚନ ଜାତି ସାରିଛନ୍ତି। ସେ ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବା ବେଳେ ଦଳର ଜଣେ ଆଗଧାଡ଼ିର ନେତା ଭାବେ ପରିଚିତ। ଆସନ୍ତା ମେ’ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।