Odisha Link
Bridging the Missing Links in Odisha

କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେଲେନି ସଚିନ

ଓଏଲ୍‌ ବ୍ୟୁରୋ: ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ରାଜସ୍ଥାନ ରାଜନୀତି। ଏସବୁ ମଧ୍ୟରେ ରାଜସ୍ଥାନ କଂଗ୍ରେସରେ ହଟଚମଟ ଆରମ୍ଭ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତାଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଯାହାର କିଛି ଝଲକ ସୋମବାର ଦେଖିବାକୁ ମିଳିଛି।

ଆଗାମୀ ଦିନରେ ରାଜସ୍ଥାନରେ ହେବ ନିର୍ବାଚନ। ଏଥିପାଇଁ ଏବେଠୁ ମାନସମନ୍ଥନ ଆରମ୍ଭ କରିଛି କଂଗ୍ରେସ। ଆସନ୍ତା ନିର୍ବାଚନ ପାଇଁ ଆଜି କଂଗ୍ରେସର ବରିଷ୍ଠ ନେତାମାନେ ପ୍ରସ୍ତୁତି ବୈଠକ କରିଥିଲେ। ହେଲେ ଏଥିରେ ସଚିନ ପାଇଲଟ ଯୋଗ ନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଗେହଲଟ, ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ସେମାନଙ୍କ ଠାରୁ ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ସଂଗ୍ରହ କରିଥିଲେ।

ହେଲେ ଏହି ବୈଠକରେ ସଚିନ ଉପସ୍ଥିତ ନଥିଲେ। ଯାହାଫଳରେ ବରିଷ୍ଠ ନେତାମାନେ ପାଇଲଟଙ୍କ ସହିତ ଓ୍ବାନ ଟୁ ଓ୍ବାନ ଆଲୋଚନା କରିପାରିଲେ ନାହିଁ। ଅନ୍ୟପଟେ ପାଇଲଟ୍‌ ଆଜି ନିଜସ୍ୱ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଚିନଙ୍କ ଏପରି ଆଭିମୁଖ୍ୟ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି କରିଛି।

ସୂଚନାଥାଉକି, କିଛି ଦିନ ତଳେ ପାଇଲଟ ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି କରି ନିଜ ସରକାର ବିରୋଧରେ ଦିନିକିଆ ଅନଶନ କରିଥିଲେ। ଏହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ଏଥିସହ ପାଇଲଟଙ୍କୁ ଅନଶନ ନ କରିବାକୁ କୁହାଯାଇଥିଲା। ହେଲେ ପାଇଲଟ ଅନଶନ କରିଥିଲେ। ଏବେ ସେ ବୈଠକରେ ମଧ୍ୟ ଯୋଗ ଦେଇ ନାହାନ୍ତି। ଯାହାକୁ ନେଇ ହଟଚମଟ ସୃଷ୍ଟି କରିଛି।

ବୈଠକରେ ଯୋଗ ଦେଇନଥିବା ପ୍ରସଙ୍ଗରେ ପାଇଲଟ କହିଛନ୍ତି, ନିର୍ବାଚନ ମଣ୍ଡଳୀରେ କାମ ଥିବାରୁ ଯୋଗ ଦେଇ ପାରିନଥିଲେ। ମୁଁ କାହା ବିରୋଧରେ କିମ୍ବା କଂଗ୍ରେସ ସରକାର ବିରୋଧରେ ନାହିଁ। ସବୁ କିଛି ଦୁର୍ନୀତି ବିରୋଧରେ କାମ କରୁଛି ବୋଲି ପାଇଲଟ କହିଛନ୍ତି।

Leave A Reply

Your email address will not be published.