Odisha Link
Bridging the Missing Links in Odisha

ଶକ୍ତି ମନ୍ତ୍ରୀଙ୍କୁ ଘେରିଲେ ଲୋକେ, ପ୍ରତାପ ଦେବ କହିଲେ…

ଓଏଲ୍‌ ବ୍ୟୁରୋ: ଆଜି ସକାଳୁ ସକାଳୁ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଯୋଗୁ ଚାଲିଗଲା ନାବାଳାଙ୍କ ଜୀବନ। ଅନ୍ୟପକ୍ଷରେ ଡଙ୍ଗାର ନାଉରୀ ସୁଦର୍ଶନ ସ୍ଵାଇଁ ନିଖୋଜ ଅଛନ୍ତି। ଯାହାକୁ ନେଇ ଆଜି ଦିନ ଯାକ ଚହଳ ପକାଇଛି ଡଙ୍ଗା ବୁଡ଼ି ଘଟଣା। ଏହି ଖବର ଜାଣିବା ପରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସେହି ଘଟଣାସ୍ଥଳକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି।

ଅଘଟଣ ପରେ ଘଟଣାସ୍ଥଳରେ ମନ୍ତ୍ରୀ ପହଞ୍ଚିବା ପରେ ମୃତ ଦେହକୁ ରଖି ଶକ୍ତିମନ୍ତ୍ରୀଙ୍କୁ ଘେରିଥିଲେ ଗ୍ରାମବାସୀ। ପୋଲ ପ୍ରତିଶ୍ରୁତି ଦାବି କରି ପ୍ରତାପଙ୍କୁ ଘେରିଥିଲେ ଗ୍ରାମବାସୀ। ଫଳରେ ଦୀର୍ଘ ସମୟ ଧରି ଶହ ଶହ ଲୋକଙ୍କ ଭିଡ ଭିତରେ ଅଟକି ରହିଥିଲେ ପ୍ରତାପ। ଲୋକଙ୍କର ଗୋଟିଏ ଦାବି ପୋଲ ପାଇଁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ମିଳିବା ଯାଏଁ ମନ୍ତ୍ରୀଙ୍କୁ ଛାଡିବୁନି କି ମୃତଦେହର ଅନ୍ତିମ ସଂସ୍କାର କରିବୁନି ବୋଲି କହିଥିଲେ। ଏଥିସହିତ ପୋଲ ନିର୍ମାଣ ନେଇ ପ୍ରଶ୍ନ ପଚାରିଥିଲେ ଲୋକେ।

ଏହାର ଉତ୍ତରରେ ଶକ୍ତି ମନ୍ତ୍ରୀ ଯାହା କହିଛନ୍ତି ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ସେ କହିଥିଲେ ଯେ, ବିଭିନ୍ନ ଯାନ୍ତ୍ରିକ କାରଣ ପାଇଁ ପୋଲ ନିର୍ମାଣ ଟେଣ୍ଡର ଠିକ ଭାବେ ହୋଇପାରୁନି। ତେଣୁ କେରେଡ଼ାଗଡ଼ ଯାଏ ୬ ମିଟର ଗୋଲେଇର ହ୍ୟୁମ ପାଇପ୍ କରି ରାସ୍ତା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଏଥିସହିତ ସେ କହିଥିଲେ,କାଲି ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ କେରେଡ଼ାଗଡ଼କୁ ଆସୁଛନ୍ତି। ମୁଁ ଅଭୟଙ୍କୁ କହିଛି, ଗାଁ ଲୋକଙ୍କ ସହିତ ଯାଇ ତାଙ୍କୁ ଦରଖାସ୍ତ ଦେଇଦେବ।” ଯହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ସୂଚନାଥାଉକି, ଆଜି ସକାଳେ ୩୦ ଜଣ ଯାତ୍ରୀଙ୍କୁ ଧରି ଏକ ଡଙ୍ଗା ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲା। ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ଯାତ୍ରୀମାନେ ନଦୀରେ ଖସି ପଡ଼ିଥିଲେ। ଗ୍ରାମବାସୀ ଓ ନାଉରୀ ସୁଦର୍ଶନ ସ୍ୱାଇଁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହେଲେ ୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ପରେ ନାଉରୀ ସୁଦର୍ଶନ ସ୍ୱାଇଁ ନିଜେ ନିଖୋଜ ହୋଇଯାଇଥିଲେ। ସେହିପରି ନାବାଳକ ଦେବେନ୍ଦ୍ର ବେହେରା ମଧ୍ୟ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ଓ ରେସ୍କ୍ୟୁ ଟିମ୍ ଖୋଜାଖୋଜି କରିବାର ୨ ଘଣ୍ଟା ପରେ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ଉଦ୍ଧାର କରିଥିଲା। ହେଲେ ନାଉରୀ ସୁଦର୍ଶନ ସ୍ୱାଇଁଙ୍କ ପତ୍ତା ମିଳିନାହିଁ।

Leave A Reply

Your email address will not be published.