Odisha Link
Bridging the Missing Links in Odisha

ଅଗ୍ରିଆ ସମାଜ ପାଇଁ ଭବନ ଘୋଷଣା ପରେ ବଦଳିବ କି ଝାରସୁଗୁଡ଼ା ସମୀକରଣ

ଓଏଲ୍‌ ବ୍ୟୁରୋ: ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଝାରସୁଗୁଡ଼ା। ଝାରସୁଗୁଡ଼ା ସିଂହାସନ ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର କସରତ। ମେ’ ୧୦ରେ ପଡ଼ିବ ଭୋଟ। ତାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ରଣନୀତି ଆପଣାଉଛନ୍ତି ବିଭିନ୍ନ ଦଳ। ନିର୍ବାଚନକୁ ଆଉ ୬ ଦିନ ବାକିଥିବା ବେଳେ ଶାସକ ବିଜୁ ଜନତା ଦଳ ଖେଳିଛି ମାଷ୍ଟର ଷ୍ଟ୍ରୋକ୍‌।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ଏକ ବଡ଼ ସମାଜ ଅଗ୍ରିଆ ସମାଜ ପାଇଁ କରିଛନ୍ତି ବଡ଼ ଘୋଷଣା। ଅଗ୍ରିଆ ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ନିକଟରେ ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଯୋଗାଇବା ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ଜମି ଚିହ୍ନଟ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ଯଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ଅଗ୍ରିଆ ସମାଜ ଭବନ ନିର୍ମାଣ ପାଇଁ ତିନି କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ କଂଗ୍ରେସ ଜଳକା ହୋଇଛି। କାରଣ କଂଗ୍ରେସ ପ୍ରାର୍ଥୀ ତରୁଣେ ପାଣ୍ଡେ ଅଗ୍ରିଆ ସମାଜରୁ ଆସିଛନ୍ତି।

ବର୍ତ୍ତମାନ ଝାରସୁଗୁଡ଼ା ଉପନିର୍ବାଚନ ରଣାଙ୍ଗନରେ ୯ଜଣ ପ୍ରାର୍ଥୀ ଥିବା ବେଳେ ମୁଖ୍ୟତଃ ଲଢ଼େଇ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ହେଉଛି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବ୍ରାହଣ ଜାତିର ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ କରଣ ଜାତି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଅଗ୍ରିଆ ଜାତିରୁ ଆସିଛନ୍ତି। ଆଉ ସବୁଠୁ ବଡ଼କଥା ହେଲା କେବଳ ଝାରସୁଗୁଡ଼ାରେ ହିଁ ଅଗ୍ରିଆ ଜାତିର ଭୋଟ ୧୯ ପ୍ରତିଶତ ରହିଛି। ଏହି ଭୋଟ ପ୍ରତିଶତକୁ ହାତେଇବା ପାଇଁ ବିଜେଡି ଖେଳିଛି ମାଷ୍ଟ୍ରରଷ୍ଟ୍ରୋକ୍।

କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଅଗ୍ରିଆ ଜାତି ଓ ମାଟିର ପୁଅ ହୋଇଥିବାରୁ ତାଙ୍କ ସମର୍ଥନରେ ଜନମତ ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଏପରିକି ଅଗ୍ରିଆ ସମାଜ ନିକଟରେ ଏକ ସଭା କରି ମାଟି ଓ ଜାତିର ପୁଅ ତରୁଣ ପାଣ୍ଡେଙ୍କୁ ଚଳିତ ଉପନିର୍ବାଚନରେ ସମର୍ଥନ କରିବ ବୋଲି ଘୋଷଣା କରିଥିଲା। କଂଗ୍ରେସର ବରିଷ୍ଠ ନେତା କିଶୋର ପଟେଲ ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଅଗ୍ରିଆ ସମୁଦାୟର ଓ ତାଙ୍କ ଭୋଟବ୍ୟାଙ୍କ ହାତେଇବା ଲକ୍ଷ୍ୟରେ ଶାସକ ବିଜେଡି ଏବେ ଏଭଳି ପ୍ରଲୋଭନ ଦେଖାଇଥିବା ଚର୍ଚ୍ଚା ହେଉଛି।

ଅପରପକ୍ଷରେ ବିଜେଡି ତାରର ପ୍ରମୁଖ ପ୍ରତିଦ୍ବନ୍ଦୀ ବିଜେପିକୁ ଝଟକା ଦେବାରେ ସଫଳ ହୋଇଛି। ଉପନିର୍ବାଚନର ଠିକ୍‌ ୬ଦିନ ପୂର୍ବରୁ ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଳ ସାହୁ ବିଜେଡି ଶିବିରରେ ସାମିଲ ହୋଇ ଶଙ୍ଖ ଫୁଙ୍କିଛନ୍ତି। ଠିକ୍‌ ମତଦାନ ପୂର୍ବରୁ ବିଜେଡି ଉଭୟ କଂଗ୍ରେସ ଓ ବିଜେପିକୁ ଚେକ୍‌ମେଟ୍‌ ଦେବା ସହ ବ୍ୟାକଫୁଟରେ ପକାଇଦେଇଛି।

Leave A Reply

Your email address will not be published.