Odisha Link
Bridging the Missing Links in Odisha

ଜଟିଳ ଅସ୍ତ୍ରୋପଚାର ଜରିଆରେ ୭୩ ବର୍ଷୀୟା ରୋଗୀଙ୍କ ଜୀବନ ରକ୍ଷା କଲେ ସମ୍ମମର ସର୍ଜନ

ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି ଦର୍ଶାଇ ଅନେକ ହସ୍ପିଟାଲ୍‌ ଏହି ରୋଗୀଙ୍କୁ ପୂର୍ବରୁ ଫେରାଇ ଦେଇଥିଲେ।

ଓଏଲ୍‌ ବ୍ୟୁରୋ: ବିରଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଜଣେ ୭୩ ବର୍ଷୀୟା ମହିଳାଙ୍କର ଜଟିଳ ଅସ୍ତ୍ରୋପଚାର ଜରିଆରେ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍‌ ଅଲ୍ଟିମେଟ ମେଡିକେୟାରର ସର୍ଜନ୍‌। ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି ଦର୍ଶାଇ ଅନେକ ହସ୍ପିଟାଲ୍‌ ଏହି ରୋଗୀଙ୍କୁ ପୂର୍ବରୁ ଫେରାଇ ଦେଇଥିଲେ। ଅମ୍ବିକା ପାତ୍ର ନାମକ ଏହି ବୟସ୍କା ମହିଳାଙ୍କର ଦୀର୍ଘ ୧୫ ବର୍ଷ ହେବ ବେକରେ ଫୁଲା ସହିତ ଯବଣା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଉଥିଲା।

ସେ ଅନେକ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଯାଇଥିଲେ ମଧ୍ୟ ତାଙ୍କ ଅସୁସ୍ଥତାର ନିରାକରଣ ହୋଇପାରି ନଥିଲା। ସମ୍ମମକୁ ଚିକିତ୍ସା ପାଇଁ ଆସିବା ପରେ ନ୍ୟୁରୋସର୍ଜନ ଡାକ୍ତର ସୋମନାଥ ପ୍ରସାଦ ଜେନା ଡିଜିଟାଲ ସବ୍‌ଷ୍ଟ୍ରାକ୍ସନ୍‌ ଆନ୍‌ଜିଓଗ୍ରାଫି (ଡିଏସ୍‌ଏ) ମାଧ୍ୟମରେ ପରୀକ୍ଷା କରି ମହିଳା ଜଣକ ଆର୍ଟେରିଓଭେନସ୍‌ ମାଲ୍‌ଫର୍ମେସନ୍‌ (ଏଭିଏମ୍‌) ସମସ୍ୟାରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ସେହିପରି ରେଡିଓଲୋଜିଷ୍ଟ ଡାକ୍ତର ଗୋଲକ ପାସା ଏମ୍‌ଆର୍‌ଆଇ ମାଧ୍ୟମରେ ଏହି ରୋଗକୁ ଚିହ୍ନଟ କରିଥିଲେ।

ସମ୍ମମର ପ୍ଲାଷ୍ଟିକ୍‌ ଓ କସ୍‌ମେଟିକ୍‌ ସର୍ଜନ୍‌ ଡାକ୍ତର ଉନ୍ମେଶ କୁମାର ଜେନା ରୋଗୀଙ୍କର ପରୀକ୍ଷା କରିବା ପରେ ଏହି ଜଟିଳ ଅସ୍ତ୍ରୋପଚାର କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା। ମାଇକ୍ରୋସର୍ଜରୀ କରିବାରେ ଅଭିଜ୍ଞ ଡାକ୍ତର ଜେନା ଗତ ଶନିବାର ଦିନ ଦୀର୍ଘ ୩ ଘଂଟା ଧରି ସଫଳତାର ସହ ଏହି ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ। ଏହା ଏକ ବିରଳ ସମସ୍ୟା ଏବଂ ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣକ ନିକଟରେ ଏହା ଚିହ୍ନଟ ହୋଇଥାଏ ବୋଲି ଡାକ୍ତର ଜେନା କହିଛନ୍ତି।

ଏହା ଏକ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ଥିଲା କାରଣ ଏହି ସମୟରେ ଅତ୍ୟଧିକ ରକ୍ତସ୍ରାବ ଏବଂ ରୋଗୀର ଜୀବନହାନିର ମଧ୍ୟ ଆଶଙ୍କା ରହିଥିଲା। ଯେଉଁଥିପାଇଁ ଅନ୍ୟ ହସ୍ପିଟାଲ୍‌ ଏହି ଅସ୍ତ୍ରୋପଚାର କରିବାକୁ ନ ଚାହିଁବାର ଏକ ସମ୍ଭାବ୍ୟ କାରଣ। ଅସ୍ତ୍ରୋପଚାର ପୂର୍ବରୁ ରୋଗୀର ସମ୍ପର୍କୀୟଙ୍କୁ ବିସ୍ତୃତ ଭାବେ ଏହି ବିଷୟରେ ବୁଝାଇ ଦିଆଯାଇଥିଲା ଏବଂ ପରିବାର ପକ୍ଷରୁ ଏକ ହାଇ ରିସ୍କ ବଣ୍ଡରେ ମଧ୍ୟ ଦସ୍ତଖତ କରାଯାଇଥିଲା।

ଏହି ରୋଗୀଙ୍କ କ୍ଷେତ୍ରରେ ସୁପରିଅର୍‌ ଥାଇରଏଡ ଆର୍ଟେରୀ ଓ ଏକ୍ସଟରନାଲ୍‌ ଜୁଗୁଲାର ଭେନ୍‌ ଏକତ୍ର ହୋଇ ସମସ୍ୟା ସୃଷ୍ଟି କରିଥାଏ ଓ ଏହାକୁ କାଢ଼ି ବାହାର କରିବା ଦରକାର ହୁଏ। ଏହି ଅସ୍ତ୍ରୋପଚାରରେ ରକ୍ତସ୍ରାବର ସମସ୍ୟା ହୋଇନଥିଲା। ଅପରେସନ୍‌ ପରେ ରୋଗୀଙ୍କର ବେକରେ ଯବଣା କମିଯାଇଥିବା ବେଳେ ମୁଣ୍ଡ ବିନ୍ଧା, ବାନ୍ତି ଇତ୍ୟାଦି ମଧ୍ୟ ବନ୍ଦ ହୋଇଯାଇଛି। ରୋଗୀ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି।