Odisha Link
Bridging the Missing Links in Odisha

ଟ୍ରେନ୍ ଦୁର୍ଘଟଣା ପଛରେ ଷ୍ଟେସନ୍ ମାଷ୍ଟର!

ଦୁର୍ଘଟଣାର ମୁଖ୍ୟ କାରଣ କଣ

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ଅର୍ଥାତ ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି। ତେବେ ଏତେ ବଡ ଦୁର୍ଘଟଣା ପଛରେ ଦାୟୀ କିଏ, ଏନେଇ ଅନେକ ଚର୍ଚା ଆରମ୍ଭ ହୋଇଛି।

ସୋସିଆଲ ମିଡିଆର ଜଣେ ବ୍ୟକ୍ତିଙ୍କ ପୋଷ୍ଟ ଅନୁସାରେ, ରେଳ ଦୁର୍ଘଟଣା ପରେ ଷ୍ଟେସନ ମାଷ୍ଟର ମହମ୍ମଦ ସରିଫ ନିଖୋଜ ଅଛନ୍ତି। ତେବେ ତାଙ୍କର ଏହି ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଛି ଯେ, ଜଣେ ମୁସଲିମ ଷ୍ଟେସନ୍ ମାଷ୍ଟର ଟ୍ରେନ୍ ଦୁର୍ଘଟଣା ପଛର କାରଣ, ଯିଏକି ରେଳ ଦୁର୍ଘଟଣା ପରେ ନିଖୋଜ ଅଛନ୍ତି। ତେବେ ଏହି ଘଟଣାର ସତ୍ୟାସତ୍ୟକୁ ଜାଣିବା ପାଇଁ ଜାତୀୟ ଗଣମାଧ୍ୟମ ଏକ ରିପୋର୍ଟ ପ୍ରକାଶ କରିଛି।

ଯେଉଁଥିରେ ଦୁର୍ଘଟଣାସ୍ଥଳର ନିକଟତମ ଷ୍ଟେସନରେ ଡ୍ୟୁଟିରେ ଥିବା ଅଧିକାରୀ ହେଉଛନ୍ତି ଏସ.ବି ମହାନ୍ତି। ବାହାନାଗା ବଜାର ଷ୍ଟେସନରେ କାର୍ଯ୍ୟ କରୁଥିବା ତାଲିକାଭୁକ୍ତ କର୍ମଚାରୀଙ୍କ ମଧ୍ୟରେ କୌଣସି ମୁସଲମାନ ବରିଷ୍ଠ ଅଧିକାରୀଙ୍କୁ ପାଇଲୁ ନାହିଁ ବୋଲି ଉଲ୍ଲେଖ ହୋଇଛି। ଦୁର୍ଘଟଣାର ମୁଖ୍ୟ କାରଣ କଣ ହୋଇପାରେ, ଏନେଇ ତଦନ୍ତ କରୁଛି ତଦନ୍ତକାରୀ ସଂସ୍ଥା।

ସୂଚନା ଅନୁସାରେ, ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍‌ ଏହି ସମୟରେ ଅନ୍ୟ ଏକ ଲାଇନ୍‌ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦ୍ରୁତଗତିରେ ପାସ୍ କରୁଥିଲା।

ଏହି ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ଦୁର୍ଘଟଣାରେ ଅନେକ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି।

Leave A Reply

Your email address will not be published.