Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣା: ମୃତ୍ୟୁ କାରଣ କଣ! ୫୦ରୁ ଅଧିକ ମୃତକଙ୍କ ଦେହରେ ନାହିଁ କ୍ଷତ ଚିହ୍ନ

ମୃତ୍ୟୁର କାରଣ ପୋଡ଼ି ହୋଇ ମୃତ୍ୟୁ ନେଇ ଏଫଆଇଆରରେ ଉଲ୍ଲେଖ ହୋଇଛି।

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ଅର୍ଥାତ ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି।

ବାହାନଗା ଟ୍ରାଜେଡିରେ ୫୦ରୁ ଅଧିକ ମୃତକଙ୍କ ଦେହରେ ନାହିଁ କ୍ଷତ ଚିହ୍ନ। ହେଲେ ଶରୀର କଳା ପଡ଼ାଯାଇଛି। ଦେହରେ କ୍ଷତ ଚିହ୍ନ ନଥିବା ମୃତକଙ୍କ ମୃତ୍ୟୁର କାରଣ ପୋଡ଼ି ହୋଇ ମୃତ୍ୟୁ ନେଇ ଏଫଆଇଆରରେ ଉଲ୍ଲେଖ ହୋଇଛି। କରମଣ୍ଡଳ ବଗି ଯଶବନ୍ତପୁର ଟ୍ରେନରେ ଛିଟ୍‌କି ପଡ଼ିଥିଲା। ଟ୍ରେନ ଦୁର୍ଘଟଣା ପରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଥିବା ଅଭିଯୋଗ ହୋଇଛି।

ବାଲେଶ୍ୱରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର କାରଣ କଣ ହୋଇପାରେ ଏନେଇ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ତଦନ୍ତ ଦାଇତ୍ୱ ସିବିଆଇ ଟିମ୍ କୁ ଦିଆଯାଇଛି। ତେବେ ଏହି ତଦନ୍ତ ପାଇଁ ସିବିଆଇ ଟିମ୍ ବାଲେଶ୍ୱରରେ ପହଂଚି ସାରିଛି। ଟିମରେ ୧୦ରୁ ୧୨ଜଣ ସିବିଆଇ ସାମିଲ ଅଛନ୍ତି। ଦୁର୍ଘଟଣା ହୋଇଥିବା ସ୍ଥାନକୁ ଯାଇ ସେଠାରେ ତଦନ୍ତ କରୁଛନ୍ତି। ଦୁର୍ଘଟଣାରେ ଜଡିତ ପ୍ରତ୍ୟେକଙ୍କ ସହ ଆଲୋଚନା କରିବେ। ସିବିଆଇ ତଦନ୍ତ ପରେ ଦୁର୍ଘଟଣାର ମୂଳ କାରଣ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ଖବର ଅନୁସାରେ, ଗତ ଶୁକ୍ରବାର ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍‌ ଏହି ସମୟରେ ଅନ୍ୟ ଏକ ଲାଇନ୍‌ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦ୍ରୁତଗତିରେ ପାସ୍ କରୁଥିଲା।

ଏହି ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ଦୁର୍ଘଟଣାରେ ଅନେକ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି।

Leave A Reply

Your email address will not be published.