Odisha Link
Bridging the Missing Links in Odisha

ଓଲିଉଡରେ କାଷ୍ଟିଂ କାଉଚ୍ ଅଭିଯୋଗ: ମୁହଁ ଖୋଲିଲେ ପ୍ରଯୋଜକ ଟୁଟୁ ନାୟକ

କିଛି ଝିଅଙ୍କ ପାଇଁ ପୂରା ଇଣ୍ଡଷ୍ଟ୍ରୀ ଖରାପ ହେଉଛି

ଓଏଲ୍‌ ବ୍ୟୁରୋ: ଓଡ଼ିଆ ସିନେମା ଜଗତରେ ପୁଣିଥରେ ଉଠିଲା କାଷ୍ଟିଂ କାଉଚ୍‌ ଝଡ଼। ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଚୁଲବୁଲି ନାୟିକା ପ୍ରକୃତି ମିଶ୍ର। ଟୁଟୁ ନାୟକଙ୍କ ନାମ ନେଇ ସିଧାସଳଖ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି ପ୍ରକୃତି ମିଶ୍ର। ତାଙ୍କ ସହ ଅଭିନେତ୍ରୀ ଜସ୍ମିନ ରଥ ମଧ୍ୟ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଯୋଜକ ଟୁଟୁ ନାୟକ।

ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ କହିଛନ୍ତି, ପ୍ରମାଣ ନଥାଇ ଅଭିଯୋଗ କରାଯାଇଛି। ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉ। ସେ ଏହା ମଧ୍ୟ କହିଛନ୍ତି ପୂର୍ବ ରାଗ ରଖି ଏଭଳି କରାଯାଉଛି। କିଛି ଝିଅଙ୍କ ପାଇଁ ପୂରା ଇଣ୍ଡଷ୍ଟ୍ରୀ ଖରାପ ହେଉଛି ବୋଲି କହିଛନ୍ତି ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ।

ପ୍ରକୃତି ମିଶ୍ର ଗଣମାଧ୍ୟମ ସମ୍ମୁଖର କହିଛନ୍ତି ଯେ, ଅନେକ ନବାଗତା ଝିଅଙ୍କୁ ସେ ଶୋଷଣ କରିଛନ୍ତି। ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତ ଝିଅଙ୍କୁ ଟୁଟୁ ନାୟକ ଶୋଷଣ କରିଛନ୍ତି ତଥା ତାଙ୍କ ସହ ଜଡ଼ିତ ବହୁ ଅଭିନେତା ଓ ଲୋକ ମଧ୍ୟ ଏଥିରେ ସମ୍ପୃକ୍ତ ବୋଲି ପ୍ରକୃତି ଅଭିଯୋଗ କରିଛନ୍ତି।

ଏଭଳିକି ପ୍ରକୃତି କହିଛନ୍ତି ଯେ, ପୀଡ଼ିତା ଝିଅମାନେ କିଭଳି ଟୁଟୁ ନାୟକଙ୍କ ଶୋଷଣର ଶିକାର ହୋଇଛନ୍ତି ଏନେଇ ତାଙ୍କୁ ମେସେଜ୍ ମଧ୍ୟ କରିଛନ୍ତି। ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭ୍ୟାସଗତ ଶୋଷଣକାରୀ ଓ ସବୁବେଳେ ନୂଆ ଝିଅମାନଙ୍କୁ ଟାର୍ଗେଟ୍ କରିଥାନ୍ତି।

ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବାଗତ ଝିଅମାନଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଛନ୍ତି। ଏପରିକି ତାଙ୍କ ସହ ଅତୀତ ଏକ ଦୁଃଖଦ ଘଟଣାବେଳେ ଟୁଟୁ ନାୟକ ନିଜେ କହିଥିଲେ ଯେ, ଭଲ ପୁଅମାନଙ୍କୁ ଫସାଇବା ଝିଅମାନଙ୍କ କାମ।

ଟୁଟୁ ନାୟକ କିପରି ବ୍ୟକ୍ତି ତାହା ତାଙ୍କର ଏଭଳି ଛୋଟ ଚିନ୍ତାଧାରାରୁ ଜଣାପଡ଼ି ଯାଉଛି। ଟୁଟୁ ନାୟକ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ନିଜର ଖେଳପଡ଼ିଆ ଭାବି ନିଜର ଏକ ଟିମ୍ ମାଧ୍ୟମରେ ଯାହା ଇଚ୍ଛା କରୁଛନ୍ତି। ଟୁଟୁ ନାୟକ ଇଣ୍ଡଷ୍ଟ୍ରିକୁ ଆସୁଥିବା ନବାଗତ ଝିଅମାନଙ୍କୁ ଶୋଷଣ କରିବା କଥା ସମସ୍ତେ ଜାଣନ୍ତି। ଯେଉଁ ଝିଅ ସେମାନଙ୍କ କଥାରେ ରାଜି ନହୁଏ ତାକୁ ରାତାରାତି ଫିଲ୍ମରୁ ବିଦା କରିବାର ନଜିର ମଧ୍ୟ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ, ଅଭିନେତ୍ରୀ ଜସ୍ମିନ ରଥ ମଧ୍ୟ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ହ୍ୱାଟସଆପ ଚାଟିଂରେ ସେ ଲେଖିଥିଲେ, ପେସାଦାର ଜୀବନ ବାହାରେ ତାଙ୍କୁ ବିଳମ୍ବିତ ରାତିରେ ଡକାଯାଉଛି। ଏଥିରେ ସେ ଆହୁରି ଲେଖିଛନ୍ତି, ଏହି ନିମନ୍ତ୍ରଣ ରକ୍ଷା ନକରିବାରୁ ତାଙ୍କୁ ପରଦିନ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି।

ଏମିତିରେ ଅନସ୍କ୍ରିନ ବା ସିନେ ପରଦାରେ ସେ ଚୁମ୍ବନ ଦେବେ ନା ନାହିଁ, ସେ ସମ୍ପର୍କରେ ପଚରାଯିବା କେଉଁ ବାର୍ତା ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ପ୍ରତିଥର ଟୁଟୁ ନାୟକ ତାଙ୍କ ସହ କଥା ହେବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଚାରିବା ସହ ଅବାନ୍ତର କଥାସବୁ ପ୍ରଚାରୁଥିବା ଏଥିରେ ସେ ଲେଖିଛନ୍ତି।

ଏହା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠାଇଛନ୍ତି ଜସ୍ମିନ ରଥ। ଏହି ଗ୍ରୁପରେ ଥିବା ଅଭିନେତା ଓ ଅଭିନେତ୍ରୀମାନେ ଜାସ୍ମିନଙ୍କ କଥା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏମିତି କି ତାଙ୍କ ସପକ୍ଷରେ ଥିବା ମତାମତ ଦେଇଛନ୍ତି। ଯାହାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.